୪ ଜିଲ୍ଲାରେ ଏମସିଏଲ ପ୍ରତିଷ୍ଠା କରିବ ୫୫୦ କୋଭିଡ୍ ବେଡ୍

ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ର କୋଇଲା ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରୀୟ ପିଏସୟୁ ସହଯୋଗରେ ରାଜ୍ୟରେ ପୁଣି ୫୫୦ କୋଭିଡ୍ ବେଡ୍ ବ୍ୟବସ୍ଥା ହେବ। ମହାନଦୀ କୋଲଫିଲ୍ଡ ଲିମିଟେଡ୍(ଏମସିଏଲ) ସହଯୋଗରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କୋଭିଡ୍ ବେଡ୍ ରହିବ। ଏହି ବେଡରେ ଅକ୍ସିଜେନ୍ ସଂଯୋଗ, ଆଇସିୟୁ, ଭେଣ୍ଟିଲେଟର ତଥା ଆନୁଷଙ୍ଗିକ ବ୍ୟବସ୍ଥା ରହିବ। ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଏଥିପାଇଁ ଅନୁରୋଧ କରିଥିଲେ। ଶ୍ରୀ ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ପ୍ରସ୍ତାବିତ ସ୍ଥାନମାନଙ୍କରେ କୋଭିଡ୍ ବେଡ୍ ପ୍ରତିଷ୍ଠା କରିବା ଲାଗି ଏମସିଏଲକୁ ଶ୍ରୀ ଯୋଶୀ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖି ଏମସିଏଲ ସହଯୋଗରେ ସମ୍ବଲପୁର ଠାରେ ୧୫୦ଟି ଅକ୍ସିଜେନ୍ ସଂଯୁକ୍ତ ବେଡ୍, ଆଇସିୟୁ ଏବଂ ଭେଣ୍ଟିଲେଟର ସୁବିଧା ସହ ଅସ୍ଥାୟୀ ଭାବେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଅନୁରୋଧ କରିଥିଲେ। ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର ବସୁନ୍ଧରା ଏବଂ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଥିବା କୋଭିଡ୍ ହସ୍ପିଟାଲରେ ୫୦ଟି, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଏବଂ ତାଳଚେର ସ୍ଥିତ ଏମସିଏଲର କୋଭିଡ୍ ହସ୍ପିଟାଲଠାରେ ୧୫୦ଟି ଲେଖାଏଁ ଅକ୍ସିଜେନ୍ ସଂଯୁକ୍ତ ବେଡ୍ ସହ ଆଇସିୟୁ ଏବଂ ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ବୁଧବାର ପାଲଟା ଏକ ଚିଠି ଲେଖି ଶ୍ରୀ ପ୍ରଧାନଙ୍କ ଏସବୁ ପ୍ରସ୍ତାବରେ ହଁ ଭରିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ। ବର୍ତ୍ତମାନ ଏସବୁ ସ୍ଥାନରେ ଏମସିଏଲ୍ ଦ୍ୱାରା କୋଭିଡ୍ ବେଡ୍ ପ୍ରତିଷ୍ଠା ହେବ। ସୂଚନାଯୋଗ୍ୟ, ଏବେ ଝାରସୁଗୁଡା ଜିଲ୍ଲାର ଲଖନପୁର ହସ୍ପିଟାଲରେ ଏମ୍ସିଏଲ ଦ୍ୱାରା ୨୦ଟି ଆଇସିୟୁ ସମେତ ୧୨୦ଟି ବେଡ୍ ବ୍ୟବସ୍ଥା କରାଯାଉଛି। ସେହିପରି ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଏକ ପୃଥକ ଚିଠିର ଅନୁରୋଧକ୍ରମେ ତାଳଚେର ଏମ୍ସିଏଲ ହସ୍ପିଟାଲରେ ୧୨୦ଟି ବେଡ୍ ସହ ଭେଣ୍ଟିଲେଟର ଓ ଆଇସିୟୁର ବ୍ୟବସ୍ଥା ହୋଇସାରିଛି।
ରାଜ୍ୟରେ କୋଭିଡ୍ ମୁକାବିଲାରେ ଏମସିଏଲ ପ୍ରଶଂସନୀୟ କାର୍ଯ୍ୟ କରୁଥିବା ଶ୍ରୀ ପ୍ରଧାନ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ। ଏମସିଏଲ ଭୁବନେଶ୍ୱରରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ୧୨୦୦ ବେଡ୍ ସ୍ପୋନସର୍ କରୁଛି। ତାଳଚେର ଠାରେ ମଧ୍ୟ ଅନୁରୂପ ଭାବରେ ଏହି ସୁବିଧା ଯୋଗାଉଛି। ଏହାବାଦ୍ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଓ ଲଖନପୁର, ସୁନ୍ଦରଗଡ଼ର ବସୁନ୍ଧରା, ସମ୍ବଲପୁର ସ୍ଥିତ ଏମସିଏଲର ମୁଖ୍ୟ କାର୍ଯ୍ୟାଳୟ ଠାରେ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରି ଲୋକଙ୍କୁ ସୁବିଧା ପ୍ରଦାନ କରୁଛି। ଅତ୍ୟାବଶ୍ୟକ ସାମଗ୍ରୀ ଯଥା- ଔଷଧ, ଅକ୍ସିଜେନ୍, ପିପିଇ କିଟ୍ ଏବଂ ଖାଦ୍ୟ ପ୍ୟାକେଟ୍ ମଧ୍ୟ ଯୋଗାଉଛି। ୧୪୦ କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶାରେ କୋଭିଡ୍ ପରିଚାଳନା ଏବଂ ମୂଲ୍ୟବାନ ଜୀବନ ବଞ୍ଚାଉଥିବାରୁ ଶ୍ରୀ ପ୍ରଧାନ ଏମସିଏଲକୁ ଚିଠିରେ ପ୍ରଶଂସା କରିଥିଲେ। ଏହି ସଙ୍କଟ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।