ଆଜି ରାଜ୍ୟରେ ଆଉ ୫୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି ରାଜ୍ୟରେ ୨୬ ଜିଲ୍ଲାରୁ ୫୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୬୨୪ରେ ପହଞ୍ଚିଛି। ସେହିପରି ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩୩୮ ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୮୯ ଜଣ ଲୋକାଲରୁ ଅଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୧୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୭୮ ଜଣ, ଖୋର୍ଦ୍ଧାରୁ ୫୦ ଜଣ, ବାଲେଶ୍ୱରରୁ ୨୬ ଜଣ, ଯାଜପୁରରୁ ୨୫ ଜଣ, ବଲାଙ୍ଗିରରୁ ୨୧ ଜଣ, ନୟାଗଡ଼ରୁ ୧୮ ଜଣ, କଟକରୁ ୧୭ ଜଣ, ପୁରୀରୁ ୧୬ ଜଣ, ମୟୂରଭଞ୍ଜରୁ ୧୦ ଜଣ, କେନ୍ଦୁଝରରୁ ୭ ଜଣ, କୋରାପୁଟରୁ ୬ ଜଣ, ସୋନପୁର ଓ କେନ୍ଦ୍ରାପଡ଼ାରୁ ୫ ଜଣ ଲେଖାଏଁ, ନୂଆପଡ଼ା, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୪ ଜଣ ଲେଖାଏଁ, ନବରଙ୍ଗପୁରୁ, ମାଲକାନଗିରି ଓ ଗଜପତିରୁ ୩ ଜଣ ଲେଖାଏଁ, ଭଦ୍ରକରୁ ୨ ଜଣ ଓ ଢ଼େଙ୍କାନାଳ, ରାୟଗଡ଼ା, ସମ୍ବଲପୁର, ବରଗଡ଼ ଓ ଅନୁଗୁଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୮ ହଜାର ୬୯୮ଟି କରୋନା ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୧୦ ହଜାର ୬୨୪ଟି ପଜିଟିଭ ଆସିଛି। ସେଥିରୁ ୬ ହଜାର ୭୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୮୬୦ ସକ୍ରିୟ ମାମଲା ରହିଛି।