ଷ୍ଟକ୍ ମାର୍କେଟ୍ ନାଁରେ ୫ କୋଟି ଠକେଇ: ମୁମ୍ବାଇରୁ ଧରାପଡ଼ିଲେ ଦୁଇ ଠକ, ଓଡ଼ିଶା ସମେତ ୯ ରାଜ୍ୟରେ ଚେନ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଷ୍ଟକ୍ ମାର୍କେଟ୍‌ରେ ଟଙ୍କା ନିବେଶ କରିବା ଏବଂ ବିପୁଳ ପରିମାଣର ସୁଧ ମିଳିବାର ଲୋଭ ଦେଖାଇ ଓଡ଼ିଶାରୁ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଦୁଇଜଣ ଠକଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଆଇଆଭିକ୍ ପ୍ରାଇଭେଟ୍ କମ୍ପାନୀର ନିର୍ଦ୍ଦେଶକ ଝାରସୁଗୁଡ଼ାର ଅର୍ପାନ ପଟେଲ ଏବଂ କଟକ ଚୌଦ୍ୱାରର ଆଦ୍ୟଜ୍ୟୋତି ନାୟକ ।

ଇଓଡବ୍ଲ୍ୟୁ ଟିମ୍ ମୁମ୍ବାଇର ଖର୍ ଅଞ୍ଚଳରେ ଗତ ୧୦ ତାରିଖ ରାତିରେ ଚଢ଼ଉ କରି ଏମାନଙ୍କୁ ଗିରଫ କରିଥିଲା । ଏମାନଙ୍କ ନିକଟରୁ ବିଭିନ୍ନ କାଗଜପତ୍ର, ୪ଟି ଦାମୀ ମୋବାଇଲ ଫୋନ୍‌, ୩ଟି ଲାପ୍‌ଟପ, ହାର୍ଡ ଡିସ୍କ ଏବଂ ନଗଦ ୯୦ହଜାର ଟଙ୍କା ଜବତ ହୋଇଛି । ପରେ ଦୁହିଁଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି । ଏହାପରେ ଅଭିଯୁକ୍ତଦ୍ୱୟଙ୍କୁ କଟକ ଓପିଆଇଡି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତଦ୍ୱୟ ଆଇଆଭିକ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଷ୍ଟକ୍ ମାର୍କେଟ୍ ଆଡ୍‌ଭାଇଜରି କମ୍ପାନୀ ଖୋଲିଥିଲେ । ନିଜ କମ୍ପାନୀ ଜରିଆରେ ଲୋକଙ୍କୁ ଷ୍ଟକ୍ ମାର୍କେଟ୍‌ରେ ଟଙ୍କା ନିବେଶ କରିବାକୁ କହୁଥିଲେ । ପ୍ରତ୍ୟେକ ଦିନ ୧ପ୍ରତିଶତ ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନିବେଶକାରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏମାନେ ୟୁଟ୍ୟୁବ୍‌ରେ ଭିଡିଓ ପ୍ରସ୍ତୁତ କରି କମ୍ପାନୀର ପ୍ରଚାର ପ୍ରସାର କରୁଥିଲେ । ଏହିସବୁ ଭିଡିଓ ଏବଂ ବିଜ୍ଞାପନ ଦେଖି ଓଡ଼ିଶା ସମେତ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମୁମ୍ବାଇ, ଗୁଜରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର ହଜାର ସଂଖ୍ୟକ ଲୋକ କୋଟିକୋଟି ଟଙ୍କା ନିବେଶ କରି ଠକାମୀର ଶିକାର ହୋଇଥିଲେ ।

ବିଶେଷକରି ଓଡ଼ିଶା ସମେତ ଅନ୍ୟ ରାଜ୍ୟର ୪୦୦ ଲୋକଙ୍କ ଠାରୁ ଠକଦ୍ୱୟ ୨୦୦୦ରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରାଇ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି । ୟୁଟ୍ୟୁବ୍‌ରୁ ଭିଡିଓ ଦେଖି ଯାଜପୁର ବିଞ୍ଝାରପୁରର ସ୍ୱାଧୀନ କୁମାର ସାହୁ ଏହି କମ୍ପାନୀରେ ଟଙ୍କା ନିବେଶ କରିଥିଲେ । ଜୁଲାଇ ୨୦୨୧ରୁ ଫେବୃୟାରୀ ଶେଷ ଯାଏ ସେ ୧୫ଲକ୍ଷ ଟଙ୍କା ନିବେଶ କରିଥିଲେ । ବିପୁଳ ପରିମାଣର ସୁଧ ଓ ଟଙ୍କା ଫେରସ୍ତ ମିଳିବ ବୋଲି ଅଭିଯୁକ୍ତଦ୍ୱୟ ପ୍ରତିଶ୍ରୁତି ଦେଇଥିଲେ । ନିବେଶ ପରେ ଟଙ୍କା ସ୍ୱାଧୀନଙ୍କ ଆକାଉଣ୍ଟକୁ ଫେରସ୍ତ ଆସିନଥିଲା । ଏହାପରେ ସେ ଖୋଳତାଡ୍ କରିବାରୁ ଜାଣିବାକୁ ପାଇଲେ ଯେ ଏହା ଠକ କମ୍ପାନୀ ଏବଂ ନିଜକୁ ଭାରତ ସରକାରଙ୍କ ଦ୍ୱାରା ପଞ୍ଜିକୃତ ସଂସ୍ଥା କହି ଲୋକଙ୍କୁ ଲୁଟିବାରେ ଲାଗିଛି । ଏନେଇ ଗତ ୪ ତାରିଖରେ ସ୍ୱାଧୀନ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ କେସ୍ ନଂ ୪/୨୦୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ ଅଭିଯୁକ୍ତଦ୍ୱୟ ଶେୟାର ମାର୍କେଟ୍ ଆଡ୍‌ଭାଇଜରି କମ୍ପାନୀ ନାଁରେ ପୁଞ୍ଜି ସ୍କିମ୍‌ରେ ଲୋକଙ୍କ ଠାରୁ ଟଙ୍କା ଲୁଟୁଛନ୍ତି । ଅଧିକ ସୁଧ ପାଇବା ଆଶାରେ ଲୋକମାନେ ଲକ୍ଷାଧିକ ଟଙ୍କା ନିବେଶ କରୁଛନ୍ତି । ଅଭିଯୁକ୍ତଦ୍ୱୟ ୨ହଜାରରୁ ୧ଲକ୍ଷ ଟଙ୍କା ଯାଏ ନିବେଶ କରିହେବ ବୋଲି କହୁଥିଲେ । ଏପରିକି ସଂସ୍ଥାରେ ରେଫରେନ୍ସ ଦ୍ୱାରା ଜଏନ୍ କରାଇଲେ ତାଙ୍କ ଲାଭରୁ ରେଫରେନ୍ସ ଦେଇଥିବା ବ୍ୟକ୍ତିଙ୍କୁ ୧୫ପ୍ରତିଶତ ପ୍ରଫିଟ୍ ମିଳିବ ବୋଲି ପ୍ରତିଶ୍ରୁତି ଦେଉଥିଲେ । ଏକ ଚେନ୍ ସିଷ୍ଟମ୍ କରି ଲୋକଙ୍କୁ ଲୁଟି ଚାଲିଥିଲେ । ଏମିତିକି କମ୍ପାନୀ ୨୪ ଘଣ୍ଟିଆ ଗ୍ରାହକ ସେବା ଯୋଗାଉଛି କହିବା ସହ ଏକ ଟୋଲ୍ ଫ୍ରି ନଂ- ୧୮୦୦-୧୦୩-୦୩୩୪ ଜାରି କରିଥିଲା ।

ମାମଲାକୁ ଗୁରୁତର ସହ ନେଇ ଇଓଡବ୍ଲ୍ୟୁ ତଦନ୍ତ ଚଳାଇଛି । ଅଭିଯୁକ୍ତଦ୍ୱୟ ଠକେଇ ଟଙ୍କା କେଉଁଠି ରଖିଛନ୍ତି, ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ଖୋଳତାଡ୍ ଜାରିରହିଛି । ଜବତ ମୋବାଇଲ୍‌, ଲାପ୍‌ଟପ ଯାଞ୍ଚ କରାଯାଉଥିବା ଏସ୍‌ପି କହିଛନ୍ତି । ବାହାର ରାଜ୍ୟର ଯେଉଁମାନେ ଏହି ଠକଙ୍କ ଶିକାର ହୋଇଛନ୍ତି, ସେମାନେ ମାମଲାର ତଦନ୍ତକାରୀ ଅଧିକାରୀଙ୍କ ନଂ-୯୪୩୭୭୩୬୪୧୨ରେ ଅଭିଯୋଗ କରିପାରିବେ । ଏଥିସହ ତଦନ୍ତରେ ସହଯୋଗ କରିବାକୁ ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି ।