ରାଜଧାନୀରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଭୁବନେଶ୍ୱରରେ ନୂଆ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬କୁ ବୃଦ୍ଧିପାଇଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଓ ଜଣେ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି। ଏହି ୫ଜଣ ଆକ୍ରାନ୍ତ ଡୁମଡୁମାରୁ, ଘାଟିକିଆ, ଓଲଡଟାଉନ୍, ପୋଖରୀପୁଟରୁ ଓ ଗଜପତିନଗରରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬କୁ ବୃଦ୍ଧିପାଇଛି। ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୫୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୩୨ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଗତକାଲି ୧୩ଜଣ ଆକ୍ରାନ୍ତ ଡୁମଡୁମା, ସାଲିଆସାହି, ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଏବଂ ୟୁନିଟ-୪ରୁ ୨ଜଣ ଚିହ୍ନଟ ହୋଇଥିଲେ। ଅନ୍ୟ ୭ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିଲେ। ଗତକିଛି ଦିନ ହେବ ଭିବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା କମି ଯାଇଥିଲା। କେହି ମଧ୍ୟ ଆକ୍ରାନ୍ତ ଚିହ୍ନଟ ହେଉନଥିଲେ। ହେଲେ ବର୍ତ୍ତମାନ ସହରରେ ଆକ୍ରାନ୍ତ ବାହାରିବା ନେଇ ନେଇ ସହରବସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ରାଜ୍ୟରେ ପ୍ରଥମେ ନିଜାମଦ୍ଦୁନ ଫେରନ୍ତାଙ୍କ ନିଦ ହଜାଇଥିଲା। ପରେ ପଶ୍ଚିମବଙ୍ଗ ଫେରନ୍ତା। ତା’ପରେ ପ୍ରବାସୀ ରାଜ୍ୟକୁ ଫେରିବା ନେଇ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଶତକ ପରେ ଶତକ ଛୁଇଁବାରେ ଲାଗିଛି। ଏନେଇ ରାଜ୍ୟ ସରକାର ମଧ୍ୟ ଚଳିତ ମାସ ସପ୍ତାହକୁ ଦୁଇଦିନ ପାଇଁ ସଟଡାଉନ ଘୋଷଣା ମଧ୍ୟ କରିଛନ୍ତି।  ଆଜି ସକାଳେ ରାଜ୍ୟରେ ସର୍ବାଧିକ ୧୪ଟି ଜିଲ୍ଲାରୁ ୧୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅନ୍ୟପଟେ ରାଜ୍ୟରେ ୧୧୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।