ରାଜ୍ୟରୁ ୪ ହଜାର ଲୋକଙ୍କ ମୁଣ୍ଡ ନେଲାଣି କରୋନା, ଆଜି ତ ସର୍ବାଧିକ ୪୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ରାଜ୍ୟରେ ସବୁ ପ୍ରକାର ମାନଦଣ୍ଡର ମେରୁଦଣ୍ଡକୁ ଭାଙ୍ଗି ପକାଇଛି। ପ୍ରତିଦିନ ୪୦ରୁ ଊର୍ଧ୍ୱ ଲୋକ କରୋନାରେ ପ୍ରାଣ ହରାଉଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ପାର ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୧୮ରେ ପହଞ୍ଚିଛି।

ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି କଟକ ଓ ନୟାଗଡ଼ ଜିଲ୍ଲାରୁ ଆଉ ୫ ଜଣ ଲେଖାଏଁ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼, ବୌଦ୍ଧ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଓ ସମ୍ୱଲପୁରରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।