ମହଲତ ସରିବାକୁ ୪ଦିନ, ପୁଣି ଗାଡ଼ିମୋଟର ଯାଞ୍ଚ ହେବ କଡ଼ାକଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମହଲତ ଶେଷ ହେବାକୁ ଯାଉଛି। ଆଉ ୪ଦିନ ପରେ ଅର୍ଥାତ ଡିସେମ୍ବର ପହିଲାରୁ ପୁଣିଥର ଟ୍ରାଫିକ୍ ନିୟମ କଡ଼ାକଡ଼ି କରାଯିବ। ସଂଶୋଧିତ ମୋଟରଯାନ ଆଇନ-୨୦୧୯ ଅନୁଯାୟୀ ଜୋରିମାନା ଆଦାୟ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ମନ୍ତ୍ରୀ ଶ୍ରୀବେହେରା କହିଛନ୍ତି ଯେ, ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି। ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମ କଡାକଡି ହେବ। ଗାଡିମୋଟର କାଗଜପତ୍ର ଯାଞ୍ଚ କଡାକଡି ହେବ। ନୂଆ ଆଇନ ଅନୁସାରେ ଜୋରିମାନା ଆଦାୟ କରାଯିବ। ସେଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ପୂର୍ବରୁ ଯେତିକି ପରିମାଣର ଜୋରିମାନା ଆଦାୟ କରାଯାଉଥିଲା ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ କିମ୍ବା ହ୍ରାସ କରାଯାଇନାହିଁ। ଅର୍ଥାତ୍ ସଂଶୋଧିତ ମୋଟରଯାନ ଆଇନ-୨୦୧୯ ଅନୁଯାୟୀ ଯେତିକି ପରିମାଣର ଜୋରିମାନା ଆଦାୟ କରାଯାଉଥିଲା ସେତିକି ଆଦାୟ କରାଯିବ। ଅବଧି ସରିବା ପୂର୍ବରୁ କାଗଜପତ୍ର ପ୍ରସ୍ତୁତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଥାଉକି, ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ସଂଶୋଧିତ ମୋଟରଯାନ ଆଇନ-୨୦୧୯ ଲାଗୁ କରାଯାଇଥିଲା। ନୂଆ ଆଇନରେ ଜୋରିମାନାର ପରିମାଣ ଅହେତୁକ ବୃଦ୍ଧି କରାଯାଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା। ହଠାତ ନୂଆନିୟମରେ ଜୋରିମାନା ଆଦାୟକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ୱର ଉଠିଲା। ଭୁବନେଶ୍ୱର ରାଜମହଲ ଛକରେ ଜନଅସନ୍ତୋଷ ପ୍ରକାଶ ପାଇବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା।

ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହାକୁ ବିରୋଧ କରିଥିଲେ। ଶେଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିୟମକୁ ୩ ମାସ ପର୍ଯ୍ୟନ୍ତ କୋହଳ କରାଯାଇଥିଲା। ଏହି ସମୟ ମଧ୍ୟରେ ସମସ୍ତ କାଗଜପତ୍ର ଠିକ୍ କରିବା ପାଇଁ ଯାନବାହାନ ମାଲିକ ଓ ଚାଳକମାନଙ୍କୁ କୁହାଯାଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୩ମାସର ଅବଧି ସରିବା ପରେ ପୁଣି ଗାଡ଼ିମୋଟର ଯାଞ୍ଚ ଆରମ୍ଭ କରାଯିବ।