ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୩,୨୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯ହଜାର ୭୮୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୧,୯୩୧ ଜଣ ଓ ସ୍ଥାନୀୟ ସଂକ୍ରମଣ ୧,୨୮୮ ଜଣ ରହିଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୩୧, କଟକରୁ ୪୦୦, ପୁରୀରୁ ୨୧୭, ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୮୫, ଗଞ୍ଜାମରୁ ୧୬୯, ମୟୁରଭଞ୍ଜରୁ ୧୩୭, ଯାଜପୁରରୁ ୧୧୭ ଓ କେଉଁଝର ଜିଲ୍ଲାରୁ ୧୦୨ ଜଣ ରହିଛନ୍ତି।
ଅନ୍ୟପଟେ ଆଜି କରୋନା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩, ଖୋର୍ଦ୍ଧାରୁ ୨, ବାଲେଶ୍ୱର, ଭଦ୍ରକ, ପୁରୀ, ଜଗତସିଂହପୁର, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୫୧୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୮ଲକ୍ଷ ୯୧ ହଜାର ୯୯ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୧ଲକ୍ଷ ୯ହଜାର ୭୮୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୭୦ ହଜାର ୭୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୧୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୨୮ ହଜାର ୪୪୩ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।