୩ଟି ସ୍ଥାନରେ ରହି ବ୍ରତ କରିବେ ତିନିହଜାର ହବିଷ୍ୟାଳୀ

ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ପୁରୀରେ ଚଳିତବର୍ଷ ପାଇଁ ହବିଷ୍ୟାଳୀ କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଅବସରରେ ହବିଷ୍ୟାଳୀମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବାକୁ କହିଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ପୁରୀରେ ୩ଟି ସ୍ଥାନରେ ତିନି ହଜାର ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ ଠାରେ ୯୦୦ ଏବଂ ମ୍ୟୁନିସପାଲଟି କଲ୍ୟାଣମଣ୍ଡପରେ ୬୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ନୂତନ ଭାବେ ନିର୍ମିତ ନରେନ୍ଦ୍ର କୋଣ ହବିଷ୍ୟାଳୀ କେନ୍ଦ୍ରରେ ୧୫୦୦ ହବିଷ୍ୟାଳୀ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରଟି ବିଧିବଦ୍ଧ ଭାବେ ଉଦଘାଟିତ ନ ହୋଇଥିଲେ ମଧ୍ୟ ଏଠାରେ ହବିଷ୍ୟାଳୀମାନଙ୍କ ପାଇଁ ସୁବନ୍ଦୋବସ୍ତ କରାଯାଇଛି। ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସରୁ ହବିଷ୍ୟାଳୀମାନଙ୍କୁ ମନ୍ଦିରକୁ ନେବାଆଣିବା କରିବାପାଇଁ ୩ଟି ବସ୍ ର ମଧ୍ୟ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ ଆଜି ସୁଦ୍ଧା ୨୫୭୭ ଜଣ ହବିଷ୍ୟାଳୀ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜିକୃତ ହୋଇସାରିଛନ୍ତି ଏବଂ ତନ୍ମଧ୍ୟରୁ ୨୧୮୩ ଜଣ ବିଭିନ୍ନ କେନ୍ଦ୍ରରେ ରହି ବ୍ରତ ଆରମ୍ଭ କରିଛନ୍ତି। ହବିଷ୍ୟାଳୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ଜିଲ୍ଲାର ୫୦୦ ସରକାରୀ ଅଧିକାରୀ ଓ ଷ୍ଟାଫ୍, ୟୁଥ୍ ଫର୍ ବେଟର ପୁରୀ ସଂସ୍ଥାର ୧୨୦ ସ୍ୱେଚ୍ଛାସେବୀ ଏବଂ ରେଡକ୍ରସ୍ ୬୦ ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି।

୨୦୧୬ ମସିହାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ହବିଷ୍ୟାଳୀମାନଙ୍କ ବ୍ରତ ପାଇଁ ସମସ୍ତ ପ୍ରକାର କରାଯାଉଛି। ସେମାନଙ୍କ ରହିବା ବ୍ୟବସ୍ଥା ସହିତ ମହାପ୍ରସାଦ ସେବନ, ଏକାଦଶୀ ଦିନ ଫଳ ସେବନ ବ୍ୟବସ୍ଥା ଓ ସନ୍ଧ୍ୟାରେ ପାଲା, ଦାସକାଠିଆ ଓ ପ୍ରବଚନ ଆଦିର ବ୍ୟବସ୍ଥା ମଧ୍ୟ କରାଯାଉଛି। ରାଜ୍ୟ ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ସଂସ୍କୃତି ସଚିବ ଏବଂ ପୁରୀରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ, ଏସପି ପ୍ରମୁଖ ଉପସ୍ଥିତ ଥିଲେ।