ଅଧ୍ୟକ୍ଷା ନିଖୋଜ ଘଟଣା: କର୍ତ୍ତବ୍ୟରେ ଅବହେଳା ପାଇଁ ୩ ଜଣ ପୁଲିସ କର୍ମଚାରୀ ନିଲମ୍ବିତ

କଳାହାଣ୍ଡି,ଏନ୍ଏନ୍ଏସ୍: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ନିଖୋଜ ଘଟଣାରେ ଦାୟିତ୍ୱରେ ଥିବା ୩ ଜଣ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସୂଚନା ଅନୁସାରେ ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ୍ ପରିଚାଳନା କମିଟି ସଭାପତି ପୁଲିସ ହେପାଜତରୁ ଚମ୍ପଟ ମାରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ୩ ଜଣଙ୍କୁ ନିଲମ୍ବନ କରିଛନ୍ତି ଏସପି।

ପୁଲିସର ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡ଼ ଥାନା ପୁଲିସ ବ୍ୟାରେଜରୁ ଚମ୍ପଟ ମାରିଛନ୍ତି ସଭାପତି ଗୋବିନ୍ଦ ସାହୁ। ଅଧ୍ୟକ୍ଷା ନିଖୋଜ ହେବା ଘଟଣାରେ ଗୋବିନ୍ଦଙ୍କୁ ଅଟକ ରଖିଥିଲା ପୁଲିସ। ଗତ ୭ ତାରିଖରୁ ମହାଳିଙ୍ଗ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଅଛନ୍ତି। ଅଧ୍ୟକ୍ଷାଙ୍କ ପରିବାର ଲୋକେ ସାଙ୍ଗ ସାଥି ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲା ପରେ ମଧ୍ୟ କୌଣସି ସଠିକ ତଥ୍ୟ ନ ପାଇବାରୁ ସିନ୍ଧକେଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ଏହି ଅଭିଯୋଗକୁ ନେଇ ସିନ୍ଧକେଲା ପୁଲିସ ତଦନ୍ତ ଜାରି ରଖିଛି । ଶେଷରେ ଗତ ୧୨ ତାରିଖରେ ବଲାଙ୍ଗୀର ଏସଡ଼ିପିଓ ଏବଂ ସିନ୍ଧକେଲା ପୁଲିସ ଗାଁ’କୁ ଆସି ଘରୋଇ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ନେଇଥିଲେ।