କୋଭିଡ ନିୟମ ଉଲ୍ଲଂଘନ: ୨୪ ଘଣ୍ଟାରେ ୨୭୫୨ ଜଣଙ୍କୁ ଜୋରିମାନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି। କରୋନା କଟକଣା ପାଳନ କରୁନଥିବା ଅଭିଯୋଗରେ ୨,୭୫୨ ଜଣ ଅମାନିଆଙ୍କ ଠାରୁ କମିସନରେଟ ପୁଲିସ ଜୋରିମାନା ଆଦାୟ କରିଛି। ସେହିପରି କରୋନା ଗାଇଡଲାଇନକୁ ଅଣଦେଖା କରିବା ଯୋଗୁଁ ରାଜଧାନୀରେ ୧୯ଟି ଦୋକାନ ବନ୍ଦ ହୋଇଛି।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଟୁଇଟ କରି ସୂଚନା ଦେଇଛନ୍ତି ଯେ, ୧୬ ତାରିଖ ସନ୍ଧ୍ୟା ପରଠାରୁ ୧୭ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ (୨୪ ଘଣ୍ଟା ମଧ୍ୟରେ) ଭୁବନେଶ୍ୱରରେ ୨,୭୫୨ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି। ଏହି ଲୋକମାନେ କରୋନା ଗାଇଡଲାଇନ ପାଳନ କରୁନଥିଲେ। ସେହିପରି ଡିସିପି ଶ୍ରୀ ଦାଶ କହିଛନ୍ତି ଯେ, ରାଜଧାନୀରେ ୧୯ଟି ଦୋକାନ ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ, ବୁଧବାର କରୋନା ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗାଇଡଲାଇନକୁ ପାଳନ କରାଯାଉଥିବା ବେଳ ଭୁବନେଶ୍ୱରରେ ଏହା ସନ୍ତୋଷ ଜନକ ନୁହେଁ। ତେଣୁ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଗାଇଡଲାଇନକୁ ଠିକ ଭାବେ ପାଳନ କରାଯାଉ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମିଳିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି।