ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୬୦ ଜଣ ରହିଛନ୍ତି। ସେହିପରି କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୧୩ ରହିଛି। ଅନ୍ୟପଟେ ରାଜ୍ୟରେ ଆଉ ୨ ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ଜଣାପଡ଼ିଛି।
୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୩ ଜଣ ଓ ସମ୍ବଲପୁରରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କୋଭିଡରେ ମୃତ୍ୟୁବରଣ କରିଥିବା ୨ ଆକ୍ରାନ୍ତ ହେଉଛନ୍ତି ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାର।
ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୬୯୯ରେ ପହଞ୍ଚିଛି। ସେଥିରୁ ୧୦ ଲକ୍ଷ ୩୩ ହଜାର ୩୪୪ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୨,୯୩୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୮୩୭୦ ଜଣଙ୍କର ମୃତ୍ୟୁ ହୋଇସାରିଛି।