ରାଜ୍ୟରେ ଆଉ ୨୩୧ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଶୂନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି କରୋନା ଗ୍ରାଫ ଉପର ମୁହାଁ ହୋଇଥିବା ବେଳେ ଆଜି କୌଣସି କରୋନା ଜନିତ ମୃତ୍ୟୁ ହୋଇନଥିବା ସୂଚନା ମିଳିଛି। ଦୀର୍ଘ ୬ ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ କରୋନାରେ ମୃତ୍ୟୁ ସଂଖ୍ୟା ଶୂନ ଆସିଛି। ଅନ୍ୟପଟେ ଗତ ୩ ଦିନ ଧରି ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ସଂଖ୍ୟା ୨ଶହ ତଳେ ଥିବାବେଳେ ଆଜି ଏହା ପୁଣି ୨ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୩୩ ଜଣ ଥିବାବେଳେ ୯୮ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୯୨୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ରୁ ସର୍ବାଧିକ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମୋଟ କରୋନା ସଂକ୍ରମିତଙ୍କ ଭିତରୁ ୩ ଲକ୍ଷ ୨୬ ହଜାର ୭୭୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୨୦୩ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଆଜି ରାଜ୍ୟରେ କରୋନାରେ କୌଣସି ମୃତ୍ୟୁ ହୋଇନଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୮୮୭ ରହିଛି।