୨୦୨୧ର ପଦଚିହ୍ନ: ପରଦାରେ …ପରଦା ପଛରେ

ବିବାହ ବନ୍ଧନରେ ସେଲିବ୍ରେଟି
୨୦୨୧ ମସିହାରେ ଅଭିନେତା ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରେ ଓଲିଉଡ଼୍ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁଙ୍କ ବିବାହ ବେଶ୍ ଚର୍ଚ୍ଚା ସାଉଁଟିଥିଲା। ଉଭୟଙ୍କର ବିବାହର ମାତ୍ର ଗୋଟିଏ ଦିନରୁ ଏହି ଯୋଡ଼ି ନିଜ ନିଜ ସୋସିଆଲ ମିଡ଼ିଆ ସାଇଟରେ ସୂଚନା ଦେଇଥିଲେ। ରାଜସ୍ଥାନରେ ଉଭୟଙ୍କର ଏହି ବ୍ୟୟବହୁଳ ଡ଼େଷ୍ଟିନେସନ ୱେଡ଼ିଂ ଆୟୋଜିତ ହୋଇଥିଲା। ତେବେ ଅନ୍ୟମାନଙ୍କ ମଧ୍ୟରେ ଗାୟକ କୁଲଦୀପ ପଟ୍ଟନାୟକ ସାଥୀ ଇପସିତା ପଣ୍ଡାଙ୍କ ହାତ ଧରିଛନ୍ତି । ତେବେ ଟିଭି ପରଦାର ଆଉ ଏକ ଚର୍ଚ୍ଚିତ ଚେହେରା ଗୁନ୍‌ଗୁନ୍ ମଧ୍ୟ ନିଜ ଜୀବନ ସାଥୀ ବାଛିନେଇଥିଲେ। ତେବେବିବାହକୁ ନେଇ ପ୍ରଶଂସକଙ୍କ ମନରେ ଥିବା ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ମଧ୍ୟ ହାତକୁ ଦିହାତ ହୋଇଛନ୍ତି। ତେବେ ହାସ୍ୟାଭିନେତା ଗୁଡ଼ୁ ମଧ୍ୟ ନିଜର ବାନ୍ଧବୀଙ୍କୁ ବିବାହ କରି ପ୍ରଶଂସକଙ୍କୁ ଶୁଭ ଖବର ଦେଇଛନ୍ତି।

ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାରକୁ ନେଇ ବିବାଦ
ନଭେମ୍ବର ୫ରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ୮ମ ଟେଲି ପୁରସ୍କାର ପାଇଁ ଚୂଡ଼ାନ୍ତ ଚୟନ ତାଲିକା ପ୍ରକାଶ ପାଇଥିଲା। ତେବେ ପୁରସ୍କାର ଚୟନ ପ୍ରଣାଳୀରେ ଅନେକ ପାତରଅନ୍ତର କରାଯାଇଥିବା ନେଇ ବିଭିନ୍ନ କଳାକାର ସଂଘ ପକ୍ଷରୁ ପ୍ରତିବାଦ ହୋଇଥିଲା। ତେବେ ଓଡ଼ିଆ ସିନେମା “ଛବିରାଣୀ’ର ଟିମ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାରେ ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ୨୦୧୯ ବର୍ଷ ପାଇଁ ଘୋଷଣା ହୋଇଥିବା ରାଜ୍ୟ ଚଳଚିତ୍ର ପୁରସ୍କାର ବିତରଣୀ ଉତ୍ସବ ଉପରେ ରୋକ ଲଗାଇଥିଲେ।
୨୭ଟି ବର୍ଗରେ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଆବେଦନକାରୀଙ୍କ ଚଳଚ୍ଚିତ୍ର କିନ୍ତୁ ଗୋଟିଏ ବି ବର୍ଗରେ ସ୍ଥାନ ପାଇ ପାରି ନଥିଲା। ସମଗ୍ର ଚୟନ ପ୍ରକ୍ରିୟାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇ ଆବେଦନକାରୀ ମାମଲା ରୁଜୁ କରିଥିଲେ। ମାମଲାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ, ନିର୍ଦ୍ଦେଶକ, ଜୁରୀ କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ସାହୁ, ସଦସ୍ୟ ପ୍ରଣବ କିଶୋର ପଟ୍ଟନାୟକ, ତ୍ରିପୁରା ମିଶ୍ର, ଜିତେନ୍ଦ୍ର ମିଶ୍ର, ଆଦିକନ୍ଦ ରାଉତ, ଗୌର ପଟ୍ଟନାୟକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବନାରାୟଣ ବିଶ୍ୱାଳ ମାମଲା ପରିଚାଳନା କରୁଛନ୍ତି।

ରୋମାଣ୍ଟିକ ଅନ୍ଦାଜରେ ସୁର
‘ନିଦ ଚୋରି କଲୁ, ନିଦ ଚୋରି କଲୁ ଏମିତି କେମିତି …, ଆଲୋ ଆଖି ମାରିଦେଇ ମନ ନେଇଗଲୁ ଏମିତି କେମିତି…’ । ବିନ୍ଦାସ ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ବିଧାୟକ ସୁରେଶ ରାଉତରାୟ ଏପରି ଏକ ଗୀତରେ ପତ୍ନୀଙ୍କ ସହ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଥିଲେ। ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଥିବା ଏହି ଗୀତଟି ଖୁବ୍ ଭାଇରାଲ୍ ହୋଇଥିଲା। ପତ୍ନୀ ମାନି ରାଉତରାୟଙ୍କ ସହ ବିଧାୟକଙ୍କ ମଜାଳିଆ ଅଭିନୟ ଦର୍ଶକମାନଙ୍କ ମନ କିଣିନେଇଛି। ଅଭିଜିତ ଭଟ୍ଟାଚାର୍ଯ୍ୟ ଓ ଜ୍ୟୋତିର୍ମୟୀ ନାୟକ ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି। ତପୁ ନାୟକ ଗୀତ ରଚନା କରିଛନ୍ତି। ନିର୍ଦେଶନା ଦେଇଛନ୍ତି ଜାପାନୀ ଭାଇ । ଭିଡିଓଟି ଏବେ ଆଶାତୀତ ଭାବେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ସେତିକି ନୁହେଁ ଚଳିତ ବର୍ଶ ସୁରଙ୍କ ଏକାଧିକ ଆଲବମ୍ ଗୀତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥିଲା।


‘ଡିଜ୍‌ନି ହଟ୍‌ଷ୍ଟାର’ରେ ଓଡ଼ିଆ ଚଳଚ୍ଚିତ୍ର

ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଓଟିଟି ପ୍ଲାଟ୍‌ଫର୍ମରେ ‘ଡିଜ୍‌ନି ହଟ୍‌ଷ୍ଟାର’ରେ ମୁକ୍ତିଲାଭ କରିଥିଲା। ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବାମରା ବ୍ଲକ୍‌ର ପାହାଡ଼ ଜଙ୍ଗଲ ଘେରା ଏକ ଗାଁ ଅମଲିଖମନ୍‌ରେ ସୁଟିଂ କରା ଯାଇଥିବା ପ୍ରାମଣିକ ଚଳଚ୍ଚିତ୍ରଟି ଜଣେ ପ୍ରଶିକ୍ଷକର କାହାଣୀ। ଯିଏ ଆଦିବାସୀ ବାଳିକା ମାନଙ୍କୁ ହକି ଶିଖାଇବା ପାଇଁ ନିଜର ସବୁ କିଛି ତ୍ୟାଗ କରି ଦେଇଛନ୍ତି। ବାହାର ରାଜ୍ୟରୁ ଆସି ସମ୍ବଲପୁରରେ ରହୁଥିବା ଜଣେ ପୂର୍ବତନ ଜାତୀୟ ହକି ଖେଳାଳି ତଥା ବ୍ୟବସାୟୀ ଏହି ଆଦିବାସୀ ଖେଳାଳିଙ୍କୁ ନିଜ ସାଧ୍ୟମତେ ସାହାଯ୍ୟ ସହଯୋଗ କରୁଛନ୍ତି। ଏଭଳି ଏକ ପ୍ରେରଣାଦାୟୀ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ପ୍ରାମାଣିକ ଚଳଚ୍ଚିତ୍ର ‘ଦି ମାଉଣ୍ଟେନ୍ ହକି’। ରାଜକିଶୋର ହୋତା, ମନୀଷ ଭୂଷଣ ମିଶ୍ର, ସୁଭ୍ରଜିତ ପ୍ରଧାନ ଏହି ଫିଲ୍ମର ନିର୍ମାତା ହୋଇଥିଲାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅବିନାଶ ପ୍ରଧାନ ଏବଂ ଦେବାଶିଷ ମହାପାତ୍ର। କହାଣୀ ଲେଖିଛନ୍ତି ଅବିନାଶ ପ୍ରଧାନ। ବ୍ରଜରାଜ ବେହେରା ଏହାର ସିନେମାଟୋଗ୍ରାଫି କରିଛନ୍ତି । ୨୦୧୮ ଓଡ଼ିଶା ହକି ବିଶ୍ୱକପ୍‌?ର ଅଭୂତପୂର୍ବ ସଫଳତା ପରେ ଏଭଳି ଏକ ପ୍ରାମାଣିକର ପରିକଳ୍ପନା କରାଯାଇଥିଲା।

ସମାଜସେବାରେ କଳାକାର
ବର୍ଷର ଅଧାରୁ ଅଧିକ ସମୟ ସୁଟିଂ ଉପରେ କଟକଣା ଜାରି ରହିଥିବାରୁ କଳାକାରମାନେ ଅଧିକ ଅବସର ସମୟ ପାଇଥିଲେ। ଏହି ସମୟର ସଦୁପଯୋଗ ପାଇଁ ସମାଜସେବାରେ ଲାଗି ପଡ଼ିଥିଲେ। ଅଭିନେତା ଶ୍ରୀତମ ଦାସ, ରାକେଶ ଧଳ, ସବ୍ୟସାଚ୍ଚୀ-ଅର୍ଚ୍ଚିତା, ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଆରମ୍ଭ କରି ବର୍ଷ ତମାମା ସମାଜ କଲ୍ୟାଣକାରୀ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥିଲେ। ରୋଗୀ ଚିକିତ୍ସା ସୁବିଧା ପ୍ରଦାନ, କରୋନାରେ ମୃତ୍ୟୁ ବରଣ କରିଥିବା ପରିବାରକୁ ଆର୍ଥିକ ସହାୟତା ପ୍ରଦାନ, ଅସହାୟଙ୍କୁ ଭୋଜନ, ଶୀତରେ ଶୀତବସ୍ତ୍ର ପ୍ରଦାନ, ଗାଁ ଗହଳିରେ ସାନିଟାରୀ ନାପକିନ୍ ତଥା ଶିଶୁଙ୍କୁ ପାଠ୍ୟୋପକରଣ ବଣ୍ଟନ କରି ଅନେକ ସେଲିବ୍ରେଟି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ। ସେହିପରି ଆଇଟମ୍ ଡ଼୍ୟାନ୍ସର ରାନୀ ପଣ୍ଡା ଓ ରାନୀ ପ୍ରିୟଦର୍ଶିନୀ ମଧ୍ୟ ଅନେକ ସମୟରେ ଅସହାୟଙ୍କୁ ସହାୟତା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲେ।

ରିଲ୍ ଭିଲେନ୍‌ଙ୍କ ରିୟଲ ଫାଇଟ୍‌!
ରିଲ୍ ଭିଲେନ୍ ତପି ମିଶ୍ର ଓ ବବି ମିଶ୍ରଙ୍କ ରିୟଲ୍ ଫାଇଟ୍ ଚଳିତବର୍ଷ ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ଓଲିଉଡ୍ ଅଭିନେତା ବବି ମିଶ୍ର ନିଜ ପଡ଼ୋଶୀ ସାଥୀ କଳାକାର ତପି ମିଶ୍ର ଓ ତାଙ୍କ ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର ସହ ମଦ ପିଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ନାଁ ନେଇ ହତ୍ୟା ଧମକ ଦେଇଥିବା ତପି ଅଭିଯୋଗ କରିଥିଲେ। ଉଭୟଙ୍କ ମଧ୍ୟ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଚଳଚ୍ଚିତ୍ର ଦୁନିଆରେ ଚର୍ଚ୍ଚାରେ ରହିବା ପାଇଁ ତପି ମିଶ୍ର ଏଭଳି ଅଭିଯୋଗ କରୁଥିବା କହିଥିଲେ । ତେବେ ବବି ତାଙ୍କ ବିରୋଧରେ ତପି କରିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଏପରିକି ତପି ଝିଅ ଧନ୍ଦା କରେ ଏବଂ ସେ ତାଙ୍କ ସମାସ୍କନ୍ଧ ନୁହନ୍ତି ବୋଲି ମଧ୍ୟ କହିବାକୁ ପଛାଇନଥିଲେ ବବି। ଏହା ସହିତ ତାଙ୍କ ପତ୍ନୀ କୋଏଲ୍ ତାଙ୍କୁ ଛାଡ଼ି ଚାଲିଯିବା ପଛରେ ବି ତପି ଅଛନ୍ତି ବୋଲି ବବି କହିଥିଲେ। ଅପରପକ୍ଷରେ ବବିଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରି ତପି ମିଶ୍ର ବବି ନିଶାଗ୍ରସ୍ତ ନଥିଲେ ସେ ଦୁନିଆର ସବୁଠୁ ଭଲ ଲୋକ ଏବଂ ଆଉ ମଦ ପିଇଦେଲେ ତାଙ୍କଠାରୁ ଅଭଦ୍ର ଲୋକ କେହି ନାହାନ୍ତି ବୋଲି କହିଥିଲେ। ବବିଙ୍କ ଅତ୍ୟାଚାର ସହି ନପାରି ପତ୍ନୀ କୋଏଲ ବାନାର୍ଜୀ ତାଙ୍କ ଠାରୁ ଦୂରେଇ ଯାଇଥିôବା ତପି କହିଥିଲେ।

ଛାଡ଼ି ଚାଲିଗଲେ…
କରୋନା ମହାମାରୀ ମଧ୍ୟରେ କଳାଜଗତ ଉପରେ କଳାବାଦଲ ଘେରି ରହିରହିଥିବା ବେଳେ ଓଡ଼ିଶା କଳାଜଗତ ସହ ଜଡ଼ିତ ଅନେକ ତାରକାଙ୍କୁ ହରାଇବାକୁ ପଡ଼ିଛି ବିଦାୟୀ ବର୍ଷରେ। ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ରବି ମିଶ୍ର ୬୪ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା। ୭୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ‘ଗୋପାଳ ରହସ୍ୟ’ ନାମକ ଏକ ଧାରାବାହିକରୁ ସ୍ୱତନ୍ତ୍ର ପରିଚୟ ପାଇଥିଲେ। ତେବେ ଖୁବ୍ କମ୍ ବୟସରେ ସମସ୍ତଙ୍କର ଅତି ପ୍ରିୟ ଗାୟିକା ତପୁ ମିଶ୍ର ଦେହାନ୍ତ ହୋଇଥିଲା। ଚିତ୍ର, ଟିଭି, ବେତାର ଓ ମଞ୍ଚ ଅଭିନେତା, ନିର୍ଦ୍ଦେଶକ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ମଧ୍‌ୟ ପରଲୋକ ହୋଇଛି। ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଛି। ସେହିପରି ଓଡ଼ିଶାର ପାରମ୍ପରିକ ବଂଶୀବାଦକ, ମୂର୍ତ୍ତିକାର, ତଥା ମଞ୍ଚ ଅଭିନେତା ବଲ୍ଲଭାନନ୍ଦ ବିଶ୍ୱାଳଙ୍କର ମଧ୍ୟ ହରାଇବାକୁ ପଡ଼ିଛି। ୮୫ ବର୍ଷ ବୟସରେ ବାଦ୍ର୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ନିଜର କଳା ସାଧନା ପାଇଁ ସମଗ୍ର ଅଞ୍ଚଳରେ ସେ ବେଶ୍ ପରିଚିତ ଥିଲେ। ଶଲାବୁଢ଼ା ନାମରେ ବେଶ ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ କଳାକାର ଅଟଳ ବିହାରୀ ପଣ୍ଡାଙ୍କର ୯୧ ବର୍ଷ ହୋଇଥିଲା। ତେବେ ରାଜ୍ୟର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁ ଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀ ୮୬ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ‘ଗୁରୁମା’ ଭାବେ କଳାଜଗତରେ ଜଣାଶୁଣା ଏହି ନୃତ୍ୟାଙ୍ଗନା ଗୁରୁ ବାଉରୀବନ୍ଧୁଙ୍କ ଦ୍ୱାରା ଅନୁପ୍ରାଣିତ ଲକ୍ଷ୍ମୀପ୍ରିୟା ମୋହିନୀ ଚରିତ୍ରରେ ପ୍ରଥମଥର ପାଇଁ ନୃତ୍ୟାଭିନୟ କରିଥିଲେ। ଜଲିଉଡ୍‌ର ଲୋକପ୍ରିୟ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ ମଧ୍ୟ ଇହଧାମ ତ୍ୟାଗ କରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଓରଫ ଜଗା ୮୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ।