ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ପାଇଁ ସବ୍ କମିଟି ୨୦୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛି। ଉକ୍ତ ବଜେଟରେ ରଥଯାତ୍ରା ଲାଗି ୧୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ସେହିପରି ସେବାୟତଙ୍କ ଚିକିତ୍ସା ସୁବିଧା ପାଇଁ ୫୦ଲକ୍ଷ ଓ ସେମାନଙ୍କ ସହାୟତା ଲାଗି ୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିରର ଆୟ ବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ବ୍ୟାଙ୍କ ସୁଧରୁ ଅଧିକ ଟଙ୍କା ଆସୁନଥିବାରୁ ଅନ୍ୟ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ବ୍ୟତୀତ ଏୟାରପୋର୍ଟ ଓ ରେଳ ଷ୍ଟେସନରେ ମଧ୍ୟ ହୁଣ୍ଡି ସ୍ଥାପନ କରାଯିବ। ପଥର କ୍ୱାରୀ ଲିଜ୍ ଲଗାଇ ଆୟ ବଢ଼ାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ପଥର କ୍ୱାରୀରୁ ୧୦ କୋଟି ଆୟର ଲକ୍ଷ୍ୟ ରଖାଯାଇଛି। ଶ୍ରୀମନ୍ଦିର ପାଣ୍ଠିିରେ ଏବେ ପ୍ରାୟ ୬୫୦ କୋଟିରୁ ଅଧିକ ଟଙ୍କା ରହିଛି। ଆସନ୍ତା ବର୍ଷ ସୁଦ୍ଧା ଶ୍ରୀମନ୍ଦିର ପାଣ୍ଠି ୭୫୦ କୋଟିକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ଏଥିସହିତ ୨୦୨୩ ରଥ ପୂର୍ବରୁ ଶ୍ରୀମନ୍ଦିର ପାଣ୍ଠି ୧ ହଜାର କୋଟି ଟଙ୍କା କରିବାକୁ ଲାଗି ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।