୨ ବାଇକ ମୁହାଁମୁହିଁ ଧକ୍କା: ଜଣେ ଗୁରୁତର ଓ ଜଣେ ଆହତ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ୨ଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳେ ପ୍ରାୟ ୧୧ଟାରେ ତୁମୁଡ଼ିବନ୍ଧ ପଟୁ ଜଣେ ମଦ୍ୟପ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ବାଇକ ଯୋଗେ ଦ୍ରୁତ ଗତିରେ ଆସୁଥିବାବେଳେ ତୁମୁଡ଼ିବନ୍ଧ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ୨ ବାଇକ୍ ମୁହାଁମୁହିଁ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାଲିଗୁଡ଼ା ଥାନା କତେରୀଭଟ୍ଟା ଗ୍ରାମର ଆସିଷ୍ଟାଣ୍ଟ ପ୍ରଫେସର ଡା. କୈଳାସଚନ୍ଦ୍ର ମଲ୍ଲିକ ଜେକେପୁର, ରାୟଗଡ଼ା ମଡେଲ ଡିଗ୍ରୀ କଲେଜରେ କାର୍ଯ୍ୟରେ ଯୋଗଦେବାକୁ ବାଇକ ଯୋଗେ ଯାଉଥିବାବେଳେ ଭାରସାମ୍ୟ ହରାଇ ସାମ୍ନାପଟୁ ମଦ୍ୟପ ଚାଳକ ଧକ୍କା ଦେଇଥିଲା । ଏଥିରେ ମଦ୍ୟପ ଚାଳକ ଗୁରୁତର ହୋଇଥିବାବେଳେ ପ୍ରଫେସର ମଲ୍ଲିକ ସାମାନ୍ୟ ଆହତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏହି ସମୟରେ ବାଲିଗୁଡ଼ାର ଯୁବ ସମାଜସେବୀ ଅମିତ୍ କୁମାର ନାୟକ କୌଣସି କାମରେ ସେହି ରାସ୍ତାଦେଇ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ଦେଖି ଆମ୍ବୁଲାନ୍ସ ଡକାଇ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରିଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ତୁମୁଡ଼ିବନ୍ଧ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରିଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।