ଭୁବନେଶ୍ୱର,ଏନ୍ଏନ୍ଏସ୍: ବେସାମରିକ ଉଡ଼ାଣ ନିର୍ଦ୍ଦେଶାଳୟ ଏବଂ ଦୁବାଇରେ ଅବସ୍ଥାପିତ ଭାରତର ଦୂତାବାସର ଅନୁମତି ପରେ ଆଜି ୟୁଏଇରୁ ଓଡ଼ିଶା ଫେରିବେ ୧୮୯ ଓଡ଼ିଆ। କରୋନା ମହାମାରୀ କାରଣରୁ ୟୁନାଇଟେଡ୍ ଆରବ ଏମିରେଟ୍ସର ବିଭିନ୍ନ ସ୍ଥାନରେ ଫସିରହିଥିଲେ ଅନେକ ଓଡ଼ିଆ। ୟୁଏଇରେ ଓଡ଼ିଆଙ୍କ ଦ୍ୱାରା ଗଠିତ ‘ଓଡ଼ିଆ ସୋସାଇଟି ଅଫ୍ ୟୁଏଇ’ର ପ୍ରୟାସ ଏବଂ ଓଡ଼ିଶା ସରକାର, ଭାରତ ସରକାରଙ୍କ ବେସାମରିକ ଉଡ଼ାଣ ନିର୍ଦ୍ଦେଶାଳୟ ଏବଂ ଦୁବାଇରେ ଅବସ୍ଥାପିତ ଭାରତର ଦୂତାବାସର ଅନୁମତି ପରେ ଏହା ସମ୍ଭବ ହୋଇଥିବା ସୂଚନା ମିଳିଛି। ଆଜି ରାତି ୮ ଟା ୪୫ରେ ଏହି ବିମାନ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି।
ଏହି ଅଭିଯାନକୁ ସମ୍ଭବପର କରାଇଥିବା ‘ଓଡ଼ିଆ ସୋସାଇଟି ଅଫ୍ ୟୁଏଇ’ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ଫ୍ଲାଇ ଦୁବାଇ ବିମାନ ୧୮୯ ଜଣ ଯାତ୍ରୀଙ୍କ ସହ ଦୁବାଇ ସମୟ ୩ଟା ୧୫ରେ ଉଡ଼ାଣ ଆରମ୍ଭ କରିବ। ଭୁବନେଶ୍ୱରରେ ପହଞ୍ଚିବା ପରେ ‘ୟୁଏଇ ରେସିଡେଣ୍ଟ’ ଓଡ଼ିଆ ‘ଏନ୍ଆରଆଇ’ଙ୍କୁ ନେଇ ୯ଟା ୩୦ରେ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରିବ।