୨୦ ଜିଲ୍ଲାରୁ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ: ସଂଖ୍ୟା ୩,୯୦୯କୁ ବୃଦ୍ଧି

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୨୦ ଜିଲ୍ଲାରୁ ୧୮୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୦୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରୁ ସର୍ବାଧିକ ୨୨, ଖୋର୍ଦ୍ଧାରୁ ୨୧, କଳାହାଣ୍ଡି ଓ ବରଗଡ଼ରୁ ୧୬ ଲେଖାଏଁ, ଗଜପତିରୁ ୧୫, କଟକ ଓ ଯାଜପୁରରୁ ୧୨ ଲେଖାଏଁ, ଜଗତସିଂହପୁର ଓ କେଉଁଝରରୁ ୧୧ ଲେଖାଏଁ, ପୁରୀରୁ ୭, ଗଞ୍ଜାମରୁ ୪, ସୁନ୍ଦରଗଡ଼ରୁ ୩, ଝାରସୁଗୁଡ଼ା, ଢ଼େଙ୍କାନାଳ ଓ ବଲାଙ୍ଗିରରୁ ୨ ଲେଖାଏଁ, ମାଲକାନଗିରି, ଅନୁଗୁଳ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦବ୍ୟତୀତ ଅମ୍ଫାନ ଉଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗ ଯାଇଥିବା ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ୧୩ ଜଣ କର୍ମଚରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୧୫ ଜଣ ସ୍ଥାନୀୟ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୦୯ରେ ପହଂଚିଥିବାବେଳେ ୨, ୫୯୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୦୧ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।