ଭୁବନେଶ୍ୱର, ଏନ୍ଏନ୍ଏସ୍: କରୋନା ପରିସ୍ଥିତିର ମୁକାବିଲା ପାଇଁ ବୁଧବାର ମନ୍ତ୍ରିପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଅଣ୍ଟ ପରିସ୍ଥିତିର ମୁକାବିଲା ପାଇଁ ଋଣ କରାଯିବା ସହ ଆର୍ଥିକ କଟକଣା ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ସ୍ୱାସ୍ଥ୍ୟ, ସାମାଜିକ ନିରାପତ୍ତା ଓ ଶିକ୍ଷା ଭଳି ଅଗ୍ରାଧିକାର କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବାସହ ଚାଲୁ ରହିଥିବା ପ୍ରକଳ୍ପ ଅବ୍ୟାହତ ରଖିବାକୁ ନିଷ୍ପତ୍ତି ହୋଇଛି। ଏପର୍ଯ୍ୟନ୍ତ କରୋନା ବାବଦକୁ ରାଜ୍ୟ ସରକାର ୧୮୭୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ଆଗକୁ ଆବଶ୍ୟକତା ଅନୁସାରେ ଋଣ କରାଯିବ। ୩ ପ୍ରତିଶତ ସୁଧରେ ରାଜ୍ୟ ସରକାର ଋଣ କରିବେ। ଅନ୍ୟପକ୍ଷରେ ବିଭିନ୍ନ ବିଭାଗର ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ସହ ବିଭିନ୍ନ କ୍ଷେତ୍ରରେ ପଡ଼ି ରହିଥିବା ଟଙ୍କାକୁ ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।
ରାଜ୍ୟ ମନ୍ତ୍ରିପରିଷଦର ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକ ବାବଦରେ ସବିଶେଷ ସୂଚନା ଦେଇ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ରାଜ୍ୟରେ କୋଭିଡ୍ ଲଢ଼େଇ ଏବଂ କୋଭିଡ୍ ପରିଚାଳନା ବିଷୟରେ ମନ୍ତ୍ରିପରିଷଦରେ ସବିଶେଷ ଆଲୋଚନା ହୋଇଥିଲା। କରୋନା ମୁକାବିଲା ଦିଗରେ ଆବଶ୍ୟକ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି। ଏଯାବତ୍ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୩୦୪ କୋଟି ଖର୍ଚ୍ଚ ହେଲାଣି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୬୨୪କୋଟି, ବିଭିନ୍ନ କ୍ରିଟିକାଲ୍ ଭିତ୍ତିଭୁମି ନିର୍ମାଣ ପାଇଁ ପ।ୟତିରାଜ ବିଭାଗ ପକ୍ଷରୁ ୮୭୫ କୋଟି ଖର୍ଚ୍ଚ ହୋଇସାରିଲାଣି। ସେହିଭଳି ବିଧାୟକମାନେ ମଧ୍ୟ ସେମାନଙ୍କ ଏମ୍ଏଲ୍ଏ ଲାଡ୍ ଫଣ୍ଡରୁ ୭୩ କୋଟି ସହ ବିଭିନ୍ନ ବିଭାଗର ଅର୍ଥ ବିନିଯୋଗ କରାଯାଇଥିବା ବୈଠକରେ ଅବଗତ କରାଯାଇଛି। ମନ୍ତ୍ରିପରିଷଦ ବୈଠକରେ କୋଭିଡ୍ ଲଢ଼େଇରେ ସହିଦ୍ ହୋଇଥିବା ୮ଜଣ କରୋନା ଯୋଦ୍ଧାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସହିଦ୍ କର୍ମଚାରୀ ଅବସର ନେବା ଯାଏଁ ଯେପରି ଦରମା ପାଇଥାନ୍ତେ ସେହି ହାରରେ ତାଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ବିଷୟରେ ନୀତିଗତ ନିଷ୍ପତ୍ତି ନିଆଯାଇଛି।