ରାଜଧାନୀରୁ ୧୬ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ପୁଣି ୧୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪ଟି କ୍ୱାରେଣ୍ଟାଇନ ଓ ୨ଟି ସ୍ଥାନୀୟ ମାମଲା ରହିଛି। ଫଳରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଂଚିଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ସେମାନେ ହେଲେ ପଟିଆସ୍ଥିତ ଶ୍ରୀ ବିହାରର ୩୧ ଓ ୬୫ ବର୍ଷୀୟ ପୁରୁଷ ଓ ଜଣେ ୫୮ ବର୍ଷୀୟ ମହିଳା। ଏମାନେ ସମସ୍ତେ ଗୋଟିଏ ପରିବାରର ଓ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ସେହିପରି ଜୟଦେବ ବିହାରର ଗୋଟିଏ ପରିବାରର ଜଣେ ୭୨ ବର୍ଷୀୟ ପୁରୁଷ ଓ ୭୧ ବର୍ଷୀୟ ମହିଳା ଥିବାବଳେ ଯାହାଙ୍କର ଟ୍ରାଭେଲ ହିଷ୍ଟ୍ରି ଆମେରିକା ରହିଛି। ୟୁନିଟ-୪ ଶାସ୍ତ୍ରୀନଗରର ଗୋଟିଏ ପରିବାରର ୭୫ ଓ ୪୦ ବର୍ଷୀୟ ପୁରୁଷ କରୋନରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟ୍ରାଭେଲ ହିଷ୍ଟ୍ରି କୋଲକାତା ରହିଛି। ଡୁମଡୁମାର ଜଣେ ୨୨ ବର୍ଷୀୟ ଯୁବକ, କଳିଙ୍ଗବିହାରର ଜଣେ ୩୪ ବର୍ଷୀୟ ପୁରୁଷ, ସତ୍ୟନଗରର ଜଣେ ୩୩ ବର୍ଷୀୟ ପୁରୁଷ, ନୟାପଲ୍ଲୀ ଶବରସାହିର ଜଣେ ୫୪ ବର୍ଷୀୟ ପୁରୁଷ, ରସୁଲଗଡ଼ ନେତାଜୀବିହାରର ଜଣେ ୪୭ ବର୍ଷୀୟ ପୁରୁଷ ଓ ଯଦୁପୁରରୁ ଜଣେ ୩୧ ବର୍ଷୀୟ ପୁରୁଷ ରହିଛନ୍ତି। ଏମାନେ ସମସ୍ତେ ଯଥାକ୍ରମେ ପୁଣେ, ଅମାନ, ଦିଲ୍ଲୀ, କୋଲକାତା, ଗୁରୁଗ୍ରାମ ଓ ଦିଲ୍ଲୀରୁ ଫେରିଥିଲେ। ଶେଷ ଆକ୍ରାନ୍ତ ଜଣକ ହେଉଛନ୍ତି ୟୁନିଟ-୩ ମସଜିଦ କଲୋନୀର ଜଣେ ୬୦ ବର୍ଷୀୟ ମହିଳା, ଯାହାଙ୍କର ଜଣେ ସମ୍ପର୍କୀୟ କୋଲକାତାରୁ ଫେରିଥିବା ସୂଚନା ମିଳିଛି।

ସେହିପରି ଆଜି ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ ୨ଟି ସ୍ଥାନୀୟ ମାମଲା ରହିଛି। ସେଥିମଧ୍ୟରୁ ପଳାଶୁଣି କପିଳେଶ୍ୱର ବିହାରର ଜଣେ୨୫ ବର୍ଷୀୟ ପୁରୁଷ ରହିଛନ୍ତି। ସେ ନିକଟରେ ଭଦ୍ରକରୁ ଫେରିଥିଲେ। ଅନ୍ୟ ଜଣେ ୩୨ ବର୍ଷୀୟ ଯୁବକ ରହିଛନ୍ତି ଯିଏକି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ହୋଇଥିବାବେଳେ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୮ଜଣ ଚିକିତ୍ସାଧୀନ ଅଛନ୍ତି।