ହୀରାକୁଦ ଜଳ ଭଣ୍ଡାରରେ ୧୪ ଗେଟ୍ ଖୋଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଘୁଚାପ ଜନିତ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀର ଜଳପତନ ମଥାନିଠାରେ ଜଳସ୍ତର ସ୍ଥିର ରହିଥିଲେ ହେଁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନିର ବିପଦ ସଂକେତ ୫.୫୦ ମିଟର ରହିଥିଲା ବେଳେ ସଂଧ୍ୟା ୬ଟା ସୁଦ୍ଧା ୬.୨୬ ମିଟରରେ ଜଳସ୍ତର ପ୍ରବାହିତ ହେଉଛି । ସେହିପରି ମହାନଦୀ ନରାଜ ଠାରେ, ଇବ୍ ନଦୀ ସୁନ୍ଦରଗଡ଼ଠାରେ, ବ୍ରାହ୍ମଣୀ ନଦୀ ପାନପୋଷଠାରେ, ବଢ଼ାବଳଙ୍ଗ ନଦୀ ଜାତୀୟ ରାଜପଥ ୫ ରେ ୬ଟା ସମୟରେ ବୃଦ୍ଧି ପାଇବାରେ ଲାଗିଛି ।

କୁଶଭଦ୍ରା ନିମାପଡ଼ା, ବ୍ରାହ୍ମଣୀ ଜେନାପୁର, ବୈତରଣୀ ଆନନ୍ଦପୁର, ଆଖୁଆପଦା, ବୁଢ଼ାବଳଙ୍ଗ ଜାମଶୋଳାଘାଟ, ବଂଶଧାରା ଗୁଣୁପୁର ଠାରେ ଜଳପତନ ସ୍ଥିର ରହିଛି । ଦେବୀ ନଦୀ ଆଳି ପିଙ୍ଗଳ, ବଂଶଧାରା କାଶୀନଗର, ଋଷିକୂଲ୍ୟା ପୁରୁଷୋତମପୁରଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ଜଳ ସମ୍ପଦ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏହି ସୂତ୍ରରୁ ପ୍ରକାଶ ଯେ, ହୀରାକୁଦ ଜଳ ଭଣ୍ଡାରର ଜଳ ପତନ ବୃଦ୍ଧି ପାଉଥିବାରୁ୧୪ଟି ଗେଟ୍ ଖୋଲାଯାଇଛି ।

ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୫ ହଜାର ୩୧୫ ଘନ ଫୁଟ ପାଣି ପ୍ରବେଶ କରୁଥିଲା ବେଳେ ସେହି ସମୟରେ ୨ ଲକ୍ଷ ୪୫ ହଜାର ୩୧୫ ଘନଫୁଟ ପାଣି ନିଷ୍କାସିତ ହେଉଛି । ଏହା ବ୍ୟତୀତ ମହାନଦୀର ତଳମୁଣ୍ଡ ଖଇରାମାଳଠାରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୫ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା ବେଳେ ବରମୂଳରେ ୨ ଲକ୍ଷ ୧ ହଜାର ୩୭୫ ଘନଫୁଟ ଏବଂ ମୁଣ୍ଡୁଳିଠାରେ ୧ ଲକ୍ଷ ୨୧ ହଜାର ୫୩୪ ଘନଫୁଟ ପାଣି ପ୍ରବାହିତ ହେଉଛି ।