ପଣ୍ୟବାହୀ ଜାହାଜରେ ୧୪ କର୍ମଚାରୀ କରୋନା ପଜିଟିଭ୍

ପାରାଦୀପ, ଏନ୍ଏନ୍ଏସ୍: ବନ୍ଦରକୁ ପଣ୍ୟ ବୋଝେଇ କରିବାକୁ ଆସିଥିବା ଏକ ଜାହାଜରୁ ୧୪ ଜଣ କର୍ମଚାରୀ କରୋନା ପଜିଟିଭ୍ ବାହାରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ତାମିଲନାଡୁ ବିଦ୍ୟୁତ ବୋର୍ଡ ପାଇଁ ଫର୍ମାଲ କୋଇଲା ଲୋଡ କରିବାକୁ ମାର୍ଚ୍ଚ ୨୧ରେ ଏକ ମାଲବାହୀ ଜାହାଜ ଏମଭି ଏପିଜେ କାଇସ୍ ଟୁଟିକୋରିନ୍ ବନ୍ଦରରୁ ପାରାଦୀପ ବନ୍ଦରକୁ ଆସିଥିଲା। ବନ୍ଦର ପ୍ରଶାସନର କୋଭିଡ୍ ଗାଇଡଲାଇନ ଅନୁଯାୟୀ ଆଙ୍କରେଜରେ ଥିଲାବେଳେ ଜାହାଜ କର୍ତ୍ତୃପକ୍ଷ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜାହାଜରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ଦେବେ। ଏହି ଆଧାରରେ ଜାହାଜର ଏଜେଣ୍ଟ ଜେଏମ୍ ବକ୍ସି ଆଣ୍ଡ କୋ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜାହଜରେ କିଛି କର୍ମଚାରୀ ଜ୍ୱର ଏବଂ ଥଣ୍ଡା ବାବଦରେ ଅବଗତ କରାଇଥିଲେ। ବନ୍ଦର ଆଙ୍କରେଜରେ ଏକ ଡାକ୍ତରୀ ଦଳ ଜାହାଜକୁ ଯାଇ ସମସ୍ତ ୨୮ ଜଣ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣ ପଜିଟିଭ ଭାବେ ଚିହ୍ନଟ କରାଯାଇ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ଅନ୍ୟମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ଜାହାଜକୁ ୨ଥର ସାନିଟାଇଜ୍ କରାଯାଇଥିବା ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀ( ପିଏଚ୍ ଓ) ଡା. ରାଜେନ୍ଦ୍ର ପାଣିଗ୍ରାହୀଙ୍କ ଠାରୁ ପ୍ରକାଶ।