କ୍ୟାବିନେଟରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୧୨ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

କ୍ୟାବିନେଟ ନିଷ୍ପତ୍ତିକ୍ରମେ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ମେଟ୍ରୋ ରେଳ ପ୍ରକଳ୍ପ ଆଉ ପାଦେ ଆଗେଇଛି । ଏଥିଲାଗି ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପ୍ରଥମ ପର୍ଯ୍ୟାୟ କାମ ୪ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । ପୁରା ଓଭରବ୍ରିଜ ଉପରେ ସମସ୍ତ ଷ୍ଟେସନ ଓ ରେଳ ଧାରଣା ରହିବ । ଅତ୍ୟାଧୁନିକ କୋଚ୍‌, ଟିକେଟ ଓ ସିଗନାଲ ବ୍ୟବହାର କରାଯିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ନିର୍ମାଣ କାମ ପାଇଁ ନିଷ୍ପତ୍ତି ନିଆଯାଇଛି ।

ନୂଆ ଯୋଜନା ‘ଆମ ହସ୍ପିଟାଲ’କୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ଜିଲ୍ଲା, ଉପଖଣ୍ଡ, ଗୋଷ୍ଠୀ ଓ ପ୍ରାଥମିକ ଚିକିତ୍ସାଳୟ ରୂପାନ୍ତରଣ ହେବ । ୫ ବର୍ଷ ପାଇଁ ଆମ ହସ୍ପିଟାଲରେ ୩୩୮୮ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ସେହିପରି ଋଷିକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ହେବ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାନିବିଲିରେ ବ୍ୟାରେଜ ନିର୍ମାଣ କରାଯିବ ।