କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ଆଜି ସନ୍ଧ୍ୟା ୬ଟାରେ ୧ ମିନିଟ ନୀରବ ପ୍ରାର୍ଥନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସନ୍ଧ୍ୟା ୬ଟାରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ଏହାସହ କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇବେ ବୋଲି କହିଛନ୍ତି।
ମଙ୍ଗଳବାର ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ଯୋଦ୍ଧାମାନଙ୍କର ମାନବ ଜାତି ପାଇଁ ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ମୁଁ ଏକ ନୀରବ ପ୍ରାର୍ଥନାର ନେତୃତ୍ୱ ନେବି। ଆଜି ସନ୍ଧ୍ୟା ୬ଟା ସମୟରେ ଏହି ପ୍ରାର୍ଥନା ସଭାରେ ଯୋଗଦେବା ପାଇଁ ଓଡ଼ିଶାର ମୋର ସାଢେ ଚାରି କୋଟି ଭାଇଭଉଣୀମାନଙ୍କୁ ଅନୁରୋଧ କରୁଛି। ଏହି ପ୍ରାର୍ଥନା ସଭା ପରେପରେ ଆମେ ସମସ୍ତେ ଏକ ଶପଥ ନେବା। କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ୍ ନିୟମାବଳୀର କଡ଼ାକଡ଼ି ପାଳନ ସଂପର୍କରେ ଏହା ଆମକୁ ଦାୟିତ୍ୱବାନ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେବ। ଆମର କୋଭିଡ ଯୋଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ ଯୁଦ୍ଧରେ ଆମର ଦାୟିତ୍ୱ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ। ଏଣୁ ଆଜି ସନ୍ଧ୍ୟା ୬ଟାରେ ଆପଣମାନେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ୍ ନୀରବ ପ୍ରାର୍ଥନା କରନ୍ତୁ ଏବଂ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ମୁଁ ନିଜେ ଆପଣମାନଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମାନବ ଜାତି ତା’ର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ୍ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଦ୍ଭୁତପୂର୍ବ ଆହ୍ୱାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିରେ ଅଛନ୍ତି। ଭାରତ ମଧ୍ୟ କୋଭିଡ୍ ମହାମାରୀର ଭୟାବହତାର ଶିକାର ହୋଇଛି। ଭାରତରେ ପ୍ରତି ଦିନ ୫୦ ହଜାରରୁ ଅଧିକ ନୂଆ ସଂକ୍ରମଣ ଦେଖା ଦେଇଛି। ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ସାରା ବିଶ୍ୱରେ ସର୍ବାଧିକ। ଆମ ଦେଶରେ ପରିସ୍ଥିତିର ଗମ୍ଭୀରତା ଏଥିରୁ ସ୍ପଷ୍ଟ ଅନୁମେୟ। ତେଣୁ ଆମେ ଏହାକୁ ଆଦୌ ହାଲକା ଭାବରେ ନେବା ଉଚିତ୍ ନୁହେଁ। ଗତ ୫ ମାସ ହେଲା ଆମେ କରୋନା ବିରୋଧରେ ଆମର ସଂଗ୍ରାମ ଜାରି ରଖିଛୁ ଏବଂ ଓଡିଶାର ଜନସାଧାରଣ ମଧ୍ୟ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛନ୍ତି।

ଆଜି ଓଡ଼ିଶାରେ ଆରୋଗ୍ୟଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରିବ। କୋଭିଡ ଯୁଦ୍ଧରେ ଆମର ସଂଗ୍ରାମରେ ଏହା ହେଉଛି ମହତ୍ୱପୂର୍ଣ୍ଣ ଘଟଣା। ସମସ୍ତଙ୍କ ସହଯୋଗରେ ଆମେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅଧିକ ଜୀବନ ରକ୍ଷା କରିପାରିଛୁ। ଆମର ମୃତ୍ୟୁହାର ୦.୫୭ ପ୍ରତିଶତ ରହିଛି, ଯାହାକି ସାରା ଦେଶରେ ସବୁଠାରୁ କମ୍। ପ୍ରତ୍ୟେକଟି ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ପ୍ରତି ଲୋକର ଜୀବନ ରକ୍ଷା କରିବା ହେଉଛି ଆମର ଲକ୍ଷ୍ୟ। ଆମର ଆରୋଗ୍ୟଙ୍କ ସଂଖ୍ୟାରେ ବୃଦ୍ଧି ଓ ମୃତ୍ୟୁହାର କମ୍ ରହିଛି। ଆମର ହଜାର ହଜାର କୋଭିଡ ଯୋଦ୍ଧାଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ ଅହର୍ନିଶ ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି। ଆମ ସମସ୍ତଙ୍କୁ ନିରାପଦ ରଖିବା ପାଇଁ ସେମାନେ ବିରାଟ ତ୍ୟାଗ ସ୍ୱୀକାର କରୁଛନ୍ତି। ଏହି ଭୟାନକ ଯୁଦ୍ଧରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।