ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଗତକାଲି କାଳ ବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ସହିତ ୨ ଭିନ୍ନ ଭିନ୍ନ ଦୁର୍ଘଟଣାରେ ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏଥିଲାଗି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, କାଳବୈଶାଖୀ ଯୋଗୁ ମାଲକାନଗିରିରେ ଡଙ୍ଗା ବୁଡ଼ି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏୟାରଷ୍ଟ୍ରିପର ପାଚେରୀ ଭୁଷୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି । ଏତତବ୍ୟତୀତ ଆହାତଙ୍କୁ ବିନା ମୂଲ୍ୟରେ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ଗାଧେଇବାବେଳେ ୨ଜଣ ଛାତ୍ରୀଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।