ଉପକୂଳ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର,ଏନ୍ଏନ୍ଏସ୍: ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଆଜି (ଗୁରୁବାର) ଉପକୂଳ ସମେତ, ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷିବ । ୧୦ ତାରିଖ ଓ ୧୧ ତାରିଖରେ ବର୍ଷାର ପରିମାଣ ବଢିବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ୭ ସେମିରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆଜି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ ,ଖୋର୍ଦ୍ଧା ଓ ପୁରୀ । ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ପାଇଁ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୪ ଜିଲ୍ଲା କୋରାପୁଟ, କନ୍ଧମାଳ, ଗଜପତି, ଗଞ୍ଜାମକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି ।

ତେବେ ୧୦ ତାରିଖରୁ ବର୍ଷା ବିସ୍ତୃତି ଭାବେ ବଢ଼ିବ । ଏଥିପାଇଁ ୧୧ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୧୧ ତାରିଖରେ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ଼ ସହ ପବନ ବହିବା ସମ୍ଭାବନା ରହିଛି ।

ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ଆସନ୍ତା ୯ ଓ ୧୦ ତାରିଖରେ ସମୁଦ୍ର ଭିତରକୁ ଯିବା ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି । ତଳିଆ ଅଞ୍ଚଳରେ ପାଣି ଓ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହେବାର ସମ୍ଭାବନା ରହିଛି । ଏଣୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।