କଳିଙ୍ଗନଗରରେ ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର ଲଃ.ର ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ସଂପ୍ରସାରଣକୁ ଅନୁମୋଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ୟାଜଦାନୀ ଷ୍ଟିଲ ଆଣ୍ଡ ପାୱାର ସମେତ ବିଭିନ୍ନ କମ୍ପାନୀର ୬,୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ୨୫ତମ ହାଇ ଲେଭେଲ୍ କ୍ଳିଏରାନ୍ସ ଅଥରିଟି ବୈଠକରେ ଏହି ଅନୁମୋଦନ ମିଳିଛି।  ମଙ୍ଗଳବାର  ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। କରୋନା ସତ୍ତେ୍ୱ ରାଜ୍ୟରେ ପୁଞ୍ଜି ନିବେଶ ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ ସଫଳ ନେତୃତ୍ତ୍ୱ ଓ ସ୍ଥିର ଶାସନ ଯୋଗୁଁ ଏହି ସଫଳତା ମିଳିଛି। ୨୦୨୦ ଫେବ୍ରୁଆରୀଠାରୁ ରାଜ୍ୟରେ ମୋଟ୍ ୧ ଲକ୍ଷ ୧୯ ହଜାର ୨୧୪ କୋଟି ୭୨ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିସାରିଛି। ତେଣୁ ୨୦ ରାଜ୍ୟ ଭିତରେ ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ ଆଣ୍ଡ ଇନଭେଷ୍ଟମେଣ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍ ବା ‘ଇପିକଲ୍’ ଦେଶର ‘ଟପ୍ ପରଫରମର୍’ ଭାବେ ପୁରସ୍କୃତ ହୋଇଛି। ଇନଭେଷ୍ଟ ଇଣ୍ଡିଆ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ହୋଇଥିବା ଏହି ସର୍ଭେରେ ଓଡ଼ିଶା ୯୮ ପ୍ରତିଶତ ମାର୍କ ରଖିବାର ସଫଳ ହୋଇଛି।

ହାଇ ଲେଭେଲ୍ କ୍ଳିୟରାନ୍ସ ଅଥରିଟି ପକ୍ଷରୁ ୫,୩୫୮ କୋଟି ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଥିବାବେଳେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଳିୟରାନ୍ସ ଅଥରିଟି ପକ୍ଷରୁ ୧,୦୮୫ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହିଭଳି ମୋଟ୍ ୬,୪୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ବୈଠକରେ ମଞ୍ଜୁରୀ ମଳିଛି। ମୋଟ୍ ଆଠ ପ୍ରକଳ୍ପ ଯୋଗୁଁ ରାଜ୍ୟରେ ୪,୬ ୩୧ ଜଣ ନିଯୁକ୍ତି ସୁଯୋଗ ପାଇପାରିବେ ବୋଲି ଆକଳନ କରାଯାଇଛି।

ହାଇ ଲେଭେଲ୍ କ୍ଳିୟରାନ୍ସ ଅଥରିଟି ପକ୍ଷରୁ ମଞ୍ଜୁରି ମିଳିଥିବା ୫,୩୫୮ କୋଟି ଟଙ୍କାର ପୁଞ୍ଜିନିବେଶ ଭିତରେ ମେଟାଲ, ସିମେଣ୍ଟ, ରିଫାଇନାରୀ ଓ ପେଟ୍ରୋକେମିକାଲ ଶିଳ୍ପ ଭଳି ୩ଟି ବଡ଼ ପ୍ରକଳ୍ପ ରହିଛି। ଏଥିରେ ସର୍ବାଗ୍ରେ ରହିଛି ୟାଜଦାନୀ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ କମ୍ପାନୀ। ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଏହି ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟରେ ୨୪୧୫ କୋଟି ଟଙ୍କାର ପୁଞିବିନିଯୋଗ ହେବ। କମ୍ପାନୀର ବାର୍ଷିକ ଉତ୍ପାଦନ କ୍ଷମତା ୦.୦୭ ଏମଟିପିଏ ରୁ ୧.୧୯ ଏମଟିପିଏକୁ ବୃଦ୍ଧି କରାଯିବ। ଏହି ପ୍ରକଳ୍ପ ଯୋଗୁଁ ୨୮୬୭ ଲୋକ କର୍ମନିଯୁକ୍ତି ପାଇପାରିବେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା କୁତ୍ରାର ତେଲିଘଣାଠାରେ ଶିବା ସିମେଣ୍ଟ ଲିମିଟେଡ(ଏସସିଏଲ୍) ୧୫୨୩.୨୪ କୋଟି ଟଙ୍କା ବିନିଯୋଗ କରି ୧.୦୫ ଏମଟିପିଏ ସିମେଣ୍ଟ କାରଖାନା ଓ ୧.୩୨ଏମଟିପିଏ ଅତିରିକ୍ତ କ୍ଲିଙ୍କର କ୍ଷମତା ବିଶିଷ୍ଟ କାରଖାନା ପ୍ରତିଷ୍ଠା ବସାଇବ। ଏଥିରେ ୬୦୦ ଲୋକ ନିଯୁକ୍ତି ପାଇବେ। ଅନ୍ୟପକ୍ଷରେ ନୁମାଲିଙ୍ଗଗଡ଼ ରିଫାନାରୀ ଲିମିଟେଡ୍ (ଏନଆରଏଲ୍) ୧୪୨୦ କୋଟି ବିନିଯୋଗ କରି କ୍ରୁଡ୍ ଅଏଲ ଟର୍ମିନାଲ ପ୍ରତିଷ୍ଠା କରିବ। ଏହି ପ୍ରକଳ୍ପ ଦ୍ୱାରା ୨୦୦ ଲୋକ ନିଯୁକ୍ତି ସୁଯୋଗ ପାଇବେ। ଏହିଭଳି ତିନୋଟି ପ୍ରକଳ୍ପରେ ସିଧାସଳଖ ୩,୬୬୭ ଲୋକ ନିଯୁକ୍ତି ପାଇପାରିବେ।

ସେହିପରି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଳିୟରାନ୍ସ ଅଥରିଟି ଦ୍ୱାରା ମଞ୍ଜୁରି ମିଳିଥିବା ୧,୦୮୫ କୋଟି ଟଙ୍କାର ୫ଟି ଶିଳ୍ପରେ ୯୬୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ପର୍ଯ୍ୟଟନ, ଫୁଡ୍ ପ୍ରସେସିଂ ପାର୍କ, ଫର୍ଟିଲାଇଜର, ମେଟାଲ ଓ ଡାଉନଷ୍ଟ୍ରିମ୍ ଭଳି ପ୍ରକଳ୍ପ ପ୍ରସ୍ତାବ ରହିଥିବା ଜଣାପଡ଼ିଛି।