ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ରାଜ୍ୟ ନେଲା ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ

ଭୁବନେଶ୍ବର,ଏନ୍ଏନ୍ଏସ୍: ଅବିଭକ୍ତ ଢେଙ୍କାନାଳ ଜିଲ୍ଲାବାସୀଙ୍କ ଲାଗି ଖୁସି ଖବର। ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ନେଲେ ରାଜ୍ୟ ସରକାର। ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଏନେଇ ଆସିଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସଚିବ ଏମସିଏଲ ଚେୟାରମ୍ୟାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା। ଏମସିଏଲ କର୍ତ୍ତୃପକ୍ଷ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ଅଭିଯୋଗ ଆସୁଥିଲା। ଯାହାକୁ ନେଇ ଦୀର୍ଘ କିଛି ବର୍ଷ ହେଲା ବାଦବିବାଦ ଲାଗି ରହିଥିଲା। ଏନେଇ ରାଜ୍ୟ ସରକାର ମଧ୍ୟ ଚିଠି ଲେଖି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ।

ହେଲେ ଏନେଇ କିଛି ଅଗ୍ରଗତି ନହେବାରୁ ଶେଷରେ ରାଜ୍ୟ ସରକାର ମେଡିକାଲ କଲେଜର ପରିଚାଳନା ଭାର ନେଇଛନ୍ତି। ଏମସିଏଲ କେବଳ ଆର୍ଥିକ ସହଯୋଗ କରିବ। ମେଡିକାଲ କଲେଜର ପରିଚାଳନା ଓ ପ୍ରଶାସନିକ ବାବଦରେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏନେଇ ଏମସିଏଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ମେଡିକାଲ କଲେଜର ପ୍ରଶାସନିକ ଓ ପରିଚାଳନା ବାବଦକୁ ବ୍ୟୟ ଆକଳନ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ।

ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୦ ଏକର ଜାଗା ଦେବା ସହ ସବୁ ପ୍ରକାର ସହଯୋଗ କରିଥିଲେ। ଏମସିଏଲ ନିର୍ମାଣ ବାବଦ ଖର୍ଚ୍ଚ ବହନ କରିଥିଲେ। ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ରଖିଥିଲେ। ୫ ଶହ କୋଟି ଟଙ୍କା ଖର୍ଚ୍ଚରେ ୧୦୦ ବେଡ ବିଶିଷ୍ଟ ମେଡିକାଲ କଲେଜର ନିର୍ମାଣ କାମ ସରିଛି। ହେଲେ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇପାରିନଥିଲା। ରାଜ୍ୟ ସରକାର ଏହାର ଦାୟିତ୍ବ ନେବା ପରେ ଢେଙ୍କାନାଳ, ଅନୁଗୁଳ ଓ ତାଳଚେର ଲୋକେ ବିଶେଷ ଭାବେ ଉପକୃତ ହେବେ।