ବଜେଟ୍‌ ୨୦୨୩: ଲାଭରେ କିଏ, କ୍ଷତି କାହାର…

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ସଂସଦରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ଆସନ୍ତାବର୍ଷ ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୋଦୀ ସରକାରଙ୍କ ତରଫରୁ ନିଯୁକ୍ତି ଓ ପୁଞ୍ଜି ବିନିଯୋଗ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି । ତେବେ ଚଳିତ ବଜେଟ୍‌ରେ କୃଷି, ପର୍ଯ୍ୟଟନ, ଭିତ୍ତିଭୂମି, ଆୟକର, ସିମେଣ୍ଟ, ଇଲେକ୍ଟ୍ରିକ୍ ଯାନ, ସବୁଜ ଶକ୍ତିି (ଗ୍ରୀନ୍ ଏନର୍ଜି) ଭଳି କ୍ଷେତ୍ରଗୁଡିକ ଲାଭବାନ ହେବାକୁ ଯାଉଛନ୍ତି ।

କୃଷି: ଭାରତୀୟ ଅର୍ଥନୀତିରେ କୃଷିର ଅବଦାନ ହେଉଛି ୧୯ ପ୍ରତିଶତ । ତେଣୁ ଏହି କ୍ଷେତ୍ର ପାଇଁ ମୋଟ ୨୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନ୍ୟାଚୁରାଲ ଚାଷକାର୍ଯ୍ୟ କରୁଥିବା ୧ କୋଟି ଚାଷୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯିବ । ଉଦ୍ୟାନ କୃଷି ଏବଂ ଫାର୍ମ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ମିଳିବ । ଫଳରେ କାବେରୀ ସିଡ୍‌ସ, ଧାନୁକା ଏଗ୍ରିଟେକ୍‌, ବମ୍ବେ ସୁପର ହାଇବ୍ରିଡ୍‌, ସିଡ୍‌ସ ଏବଂ ରାଷ୍ଟ୍ରୀୟ କେମିକାଲ୍‌ସ ଆଣ୍ଡ୍ ଫର୍ଟିଲାଇଜରର୍ସ ଭଳି କମ୍ପାନୀ ଲାଭବାନ ହେବେ ବୋଲି ଆଶା କରାଯାଉଛି ।

ପର୍ଯ୍ୟଟନ: ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ଏଥର ୫୦ଟି ପର୍ଯ୍ୟଟନ ସ୍ଥଳୀକୁ ଚିହ୍ନଟ କରାଯିବ । ସେଠାରେ ଷ୍ଟ୍ରିଟ୍ ଫୁଡ୍‌, ସିକ୍ୟୁରିଟୀ ଓ ଅନ୍ୟ ପ୍ରସଙ୍ଗରେ ସୂଚନା ପାଇବାକୁ ସ୍ୱତନ୍ତ୍ର ପର୍ଯ୍ୟଟନ ଆପ୍ ପ୍ରଚଳନ କରାଯିବ । ଫଳରେ ଟିକଟ ବୁକିଂ କମ୍ପାନୀ ଓ ହୋଟେଲ ଗ୍ରୁପ୍ ଯଥା ଆଇଆରସିଟିସି, ଥେମାସ କୁକ୍ ଓ ଇଣ୍ଡିଆ ହୋଟେଲ ଏବଂ ଇଷ୍ଟ ଇଣ୍ଡିଆ ହୋଟେଲ ଭଳି କମ୍ପାନୀ ଲାଭବାନ ହେବେ ।

ଭିତ୍ତିଭୂମି: ଦେଶବ୍ୟାପୀ କନେକ୍ଟିଭିଟି ବୃଦ୍ଧି କରିବାକୁ ୫୦ଟି ନୂଆ ଏୟାରପୋର୍ଟ ଓ ହେଲିପ୍ୟାଡ୍ ନିର୍ମାଣ ଯୋଜନା ହାତକୁ ନିଆଯାଇଛି । ଫଳରେ ଅଦାନି ଏୟାରପୋର୍ଟ ହୋଲଡିଙ୍ଗ୍‌ସ ଲିମିଟେଡ୍‌, ଜିଏମଆର ଏୟାରପୋର୍ଟସ ଇନ୍‌ଫ୍ରାଷ୍ଟ୍ରକ୍‌ଚର, ଜିଭିକେ ଏୟାରପୋର୍ଟ ଡେଭଲପର୍ସ ବ୍ୟତୀତ ଲାର୍ସନ ଆଣ୍ଡ୍ ଟ୍ୟୁବ୍ରୋ, ଭାରତ ହେଭି ଇଲେକ୍ଟ୍ରିକାଲ୍‌ସ ଭଳି କମ୍ପାନୀ ଲାଭବାନ ହେବାର ସୁଯୋଗ ରହିଛି ।

ଆୟକରଦାତା: ଚଳିତ ବଜେଟ୍‌ରେ ଆୟକରଦାତାଙ୍କୁ ରିହାତି ପ୍ରଦାନ କରାଯାଇଛି । ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡିବ ନାହିଁ । ପୁନଶ୍ଚ ଟିକସ ସ୍ଲାବ୍ ସଂଖ୍ୟାକୁଚ ମଧ୍ୟ ହ୍ରାସ କରାଯାଇଥିବାବେଳେ ସର୍ବାଧିକ ଟିକସ ହାର ୩୯ ପ୍ରତିଶତ ଧାର୍ଯ୍ୟ କରାଯାଇଛି ।

ମେଟାଲ/ସିମେଣ୍ଟ: ବାସଗୃହ ନିର୍ମାଣ, ଭିତ୍ତିଭୂମି ଏବଂ ରେଳବାଇ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯାଇଥିବାରୁ ଲୁହା, ଆଲୁମିନିୟମ ସମେତ ସିମେଣ୍ଟ କମ୍ପାନୀ ଅଧିକ ଲାଭ କମାଇବେ ବୋଲି କୁହାଯାଉଛି । ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ ସମେତ ବିଭିନ୍ନ ସିମେଣ୍ଟ କମ୍ପାନୀର ବ୍ୟବସାୟିକ କାରବାର ଆକାଶଛୁଆଁ ହେବ ।

ଇଲେକ୍ଟ୍ରିକ୍ ଯାନ: ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦିଆଯାଉଥିବାରୁ ଲିଥିୟମ ଯୁକ୍ତ ବ୍ୟାଟେରୀ ନିର୍ମାଣ କରୁଥିବା ଏକ୍ସାଇଡ୍ ବ୍ୟାଟେରୀ, ଅମର ରାଜା ବ୍ୟାଟେରିଜ୍ ଏବଂ ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଭଳି କମ୍ପାନୀର ବ୍ୟବସାୟ ଦ୍ୱିଗୁଣିତ ହେବ ।

କ୍ଷତି ସହିବେ: ସିଗାରେଟ୍ ଉପରେ ଟିକସ ବୃଦ୍ଧି କରାଯାଇଥିବାରୁ ଆଇଟିସି ଓ ଗଡ୍‌ଫ୍ରେ ଫିଲିପ୍‌ସ ଇଣ୍ଡିଆକୁ ଚଡକ ପଡିବ ।

ସ୍ୱର୍ଣ୍ଣାଳଙ୍କାର: ସୁନା ଆମଦାନୀ ଉପରେ ଲାଗୁ ହେଉଥିବା ଟିକସ ଅପରିବର୍ତ୍ତିତ ରଖାଯାଇଥିବାରୁ ସୁନା, ରୁପା ଓ ଇମିଟେସନ ଗହଣା ମହଙ୍ଗା ହେବାକୁ ଯାଉଛି । ଫଳରେ କଲ୍ୟାଣ ଜୁଏଲର୍ସ, ତନିଷ୍କ୍ ଓ ପିସି ଚନ୍ଦ୍ରା ଜୁଏଲର୍ସ ଭଳି କମ୍ପାନୀ କ୍ଷତି ସହିବେ ।

ତୈଳ ବିଶୋଧନାଗାର: ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ମୂଲ୍ୟ ବୃଦ୍ଧି କରୁନଥିବାରୁ ଘରୋଇ ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରବଳ କ୍ଷତି ସହିଆସୁଛନ୍ତି । ତେବେ ସରକାର ବଜେଟ୍‌ରେ ସେମାନଙ୍କ ପାଇଁ କ୍ଷତିପୂରଣ ବରାଦ କରିନଥିବାରୁ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ କ୍ଷତିରେ ରହିବେ ।