ରାଜ୍ୟ ସାରା ସପ୍ତାହ ଯାକ ବର୍ଷିବ: ୧୭ ଜିଲ୍ଲାକୁ ବଜ୍ରପାତ, ବର୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ସପ୍ତାହ ଯାକ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଥିବାବେଳେ କିଛି ଆଭ୍ୟନ୍ତରୀଣ ଜିଲ୍ଲାକୁ ଖାଲି ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷା ରହିଛି। ହେଲେ ସପ୍ତାହ ଯାକ ସାରା ରାଜ୍ୟକୁ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି।

ରାଜ୍ୟରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, ସମୁଦ୍ର ପତ୍ତନରେ ଥିବା ନିମ୍ନ ଚାପ ରେଖା ଶନିବାର ପୂର୍ବ ଉତ୍ତରପ୍ରଦେଶରୁ ଉତ୍ତର ଝାଡଖଣ୍ଡ ଏବଂ ବଙ୍ଗୀୟ ପଶ୍ଚିମ-ବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଝାଡ଼ଖଣ୍ଡ ଏବଂ ତାର ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୩.୧ କିମି ଯାଏଁ ସକ୍ରିୟ ରହିଛି ଏବଂ ଏହା ଉଚ୍ଚତା ସହ ଦକ୍ଷିଣ ପଶ୍ଚିମ ଦିଗରେ ଢଳିଛି। ସମୁଦ୍ର ପତ୍ତନରୁ ୦.୯ ରୁ ୨.୧ କିମି ମଧ୍ୟରେ ଦକ୍ଷିଣ ଓଡିଶା ଏବଂ ତାର ଆଖପାଖ ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି। ଯାହାଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ବର୍ଷା ସମ୍ଭାବନା ଲାଗି ରହିଥିବା ଶ୍ରୀ ବିଶ୍ୱାସ କହିଛନ୍ତି।

ସପ୍ତାହ ଯାକ ଲଗାଣ ବର୍ଷା ସମ୍ଭାବନା ନଥିବାବେଳେ ରବିବାର ରାଜ୍ୟର ୧୭ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ରହିଛି। ଏନେଇ ପାଣିପାଗ କେନ୍ଦ୍ର ଦ୍ୱାରା ଉପରୋକ୍ତ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପଟେ ସୋମବାର ଓ ମଙ୍ଗଳବାର ରାଜ୍ୟର କୌଣସି ଜିଲ୍ଲାକୁ ମୋଟା ଧାରାରେ ବର୍ଷା ସମ୍ଭାବନା ନଥିବା ସତ୍ତ୍ୱେ ରାଜ୍ୟ ସାରା ବିଭିନ୍ନ ଜିଲ୍ଳାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।

ବୁଧବାରଠାରୁ ରାଜ୍ୟ ପାଣିପାଗରେ ପୁର୍ନବାର ପରିବର୍ତ୍ତନ ହେବାର ଅଛି। ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଫଳରେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗୁରୁବାର ଓ ଶୁକ୍ରବାର ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଲଗାଣ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ସମୁଦ୍ର ପତନ ଉପରେ ଥିବା ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟକୁ ବର୍ଷା ଲାଗି ରହିବ। ଆସନ୍ତା ସପ୍ତାହ ଯାକ ରାଜ୍ୟ ତାପମାତ୍ରାରେ କିଛି ବିଶେଷ ପରିବର୍ତ୍ତନ ନଥିବାବେଳେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ପ୍ରକାଶ ପାଇଛି।