ସୋମବାର ଠାରୁ ଶୀତ ସାଙ୍ଗକୁ ଘନ କୁହୁୁଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୁଇ ତିନି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଯିବ ଶୀତ। ବର୍ଷା ପରେ ସାରା ରାଜ୍ୟରେ ଏବେ ପାଗରେ ପରିବର୍ତ୍ତନ ଆସିସାରିଥିବା ବେଳେ ସୋମବାରଠାରୁ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦେଖାଦେବ। ରବିବାରଠାରୁ ଆକାଶ ନିର୍ମଳ ରହିବା ସହିତ କୋହଲା ପାଗରେ ମଧ୍ୟ ପରିବର୍ତ୍ତନ ଆସିଛି। ଏମିିତି ପାଗ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରହିବା ସହିତ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସେହିରି ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରାୟ ୪-୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାକୁ ଥିବା ବେଳେ ପାରଦ ତଳମୁହାଁ ହେବ। ବିଶେଷ କରି ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ଶୀତ ହେବ ବୋଲି ଆଶଙ୍କା କରି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଗୋପାଳପୁରଠାରୁ ଝାରସୁଗୁଡ଼ା ସଂଯୋଗ କରୁଥିବା ସରଳରେଖାର ଉତ୍ତରରେ ଥିବା ଜିଲ୍ଲାମାନଙ୍କରେ ୬ ତାରିଖ ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରୀ ସେଲସିୟସ କମିବ। ସେହିପରି ତାପର ଦୁଇଦିନରେ ଦୁଇରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଯୋଗୁଁ ଥଣ୍ଡା କମିଯିବ। ଏହି ପାଗ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବା ସହିତ ଥଣ୍ଡାର ପ୍ରକୋପ କମ୍ ରହିବ।

ଏହା ବ୍ୟତୀତ ପଶ୍ଚିମ ଓଡ଼ିଶାରେ ମଙ୍ଗଳାବାର ରାତିଠାରୁ ତାପମାତ୍ର ବଢ଼ିବା ଆରମ୍ଭ କରିବା ଯୋଗୁ ଏଠାରେ ବି ଥଣ୍ଡା କମିବ। ଏଠାରେ ଦୁଇଦିନରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ି ୧୦ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ଆସନ୍ତା ୧୧ ତାରିଖ ପରେ ଏଠାରେ ଥଣ୍ଡା ଲେଉଟିବ।