ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଯୋଗୁଁ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶକମାନଙ୍କ ପାଇଁ ଭର୍ଚୁଆଲ ଟୁରର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ ଜୁନ୍ ୬ ତାରିଖ ଦିନ ଟୁଇଟର ଓ ଫେସବୁକ୍ ପେଜ୍ @stscdev,
@scstrti ଖୋଲି ଲାଞ୍ଜିଆ ସଉରାଙ୍କ ଘର ବିଷୟରେ ଜାଣିପାରିବେ ବୋଲି ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।
ଲାଞ୍ଜିଆ ସଉରା ଜନଜାତିମାନେ ଗୋଟିଏ ବଖରା ଥିବା ଘରେ ରୁହନ୍ତି। ଗୋଟିଏ ପଟେ ଉଚ୍ଚ କାଠଭାଡ଼ିରେ ଶସ୍ୟ ସଂରକ୍ଷଣ କରାଯାଇଥାଏ। ଏହାର ନିମ୍ନ ଭାଗରେ ଚୁଲି ଓ ଛୋଟ ମନ୍ଦିର ରହିଥାଏ। ଘରର ଅନ୍ୟ ପଟେ ଆକର୍ଷଣୀୟ ‘ଇଡ଼ିତାଲ’ ଚିତ୍ରକଳା ରହିଥାଏ। ଭୂତ, ପ୍ରେତ ଓ ଆତ୍ମାକୁ ତୋଷଣ କରିବା ପାଇଁ ଏହି ଚିତ୍ରକଳା ଅଙ୍କନ କରାଯାଇଥାଏ। ବାରଣ୍ଡା ତଳକୁ ଘୁଷୁରି ଓ ଅନ୍ୟ ପକ୍ଷୀ ରଖିବାର ବ୍ୟବସ୍ଥା ରହିଥାଏ।
