ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ ଭାରତ କହିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,ଏନ୍ଏନ୍ଏସ୍: ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଦକ୍ଷତା ବିକାଶର ମହତ୍ବପୂର୍ଣ୍ଣ ଭୂମିକା ରହିଛି । ବିକଶିତ ଭାରତ ପାଇଁ ଦେଶବାସୀଙ୍କୁ କୁଶଳୀ ହେବାକୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ କାଳରେ ୫ଟି ସଂକଳ୍ପ ସମେତ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ ଦାୟିତ୍ବବାନ ହେବା ପାଇଁ ଆହ୍ବାନ କରିଛନ୍ତି । ଭାରତୀୟ ଦାୟିତ୍ବବାନ ହେଲେ ଏବଂ ଆମ ଦେଶର ଶ୍ରମବଳ ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିଲେ ହିଁ ଭାରତ ବିଶର ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରେକଗନାଇଜେସନ ଅଫ୍ ପ୍ରାଇଅର୍ ଲର୍ଣ୍ଣିଂ (ଆରପିଏଲ) ଦକ୍ଷତା ତାଲିମ ଅଧୀନରେ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ ଅଞ୍ଚଳର ପ୍ରଶିକ୍ଷଣ ନେଇଥିବା ପ୍ରାର୍ଥୀଙ୍କୁ ପ୍ରମାଣ ପତ୍ର ବିତରଣ କରିଛନ୍ତି । ଏହି ତାଲିମ ଅଧୀନରେ ନୂଆ କୌଶଳ ସହ ଯୋଡ଼ିଥିବା ଯୁବବର୍ଗଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆମେ ଅଗ୍ରସର ହେଉଥିବା ବେଳେ ଦକ୍ଷତା ବିକାଶ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ରାଷ୍ଟ୍ର ନିର୍ମାଣ ପାଇଁ ସମସ୍ତେ ଶ୍ରମବଳ ସମର୍ପିତ କଲେ ହିଁ ବିକଶିତ ଭାରତର ସ୍ବପ୍ନ ପୂରଣ ହୋଇପାରିବ । ସେଥିପାଇଁ ସମସ୍ତଙ୍କୁ କୁଶଳୀ ହେବାକୁ ପଡ଼ିବ । ପାରମ୍ପାରିକ କ୍ଷେତ୍ରରୁ ବାହାରି ଆକାଂକ୍ଷା ପୂରଣ କରିବା ଲକ୍ଷ୍ୟରେ ଦକ୍ଷତା ବିକାଶକୁ ଆଗକୁ ନେବାକୁ ହେବ। ବର୍ତ୍ତମାନ ସମୟରେ ଭାରତ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ବିଶ୍ବରେ ସର୍ବବୃତ୍ତ ବଜାର ଭାବରେ ପରିଣତ ହୋଇଛି । ଉଭା ହେଉଥିବା ନୂଆ କ୍ଷେତ୍ରରୁ ନୂତନ କୌଶଳ ଶିଖିବାକୁ ହେବ ।