ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା

  • ଭୁବନେଶ୍ୱର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆବଶ୍ୟକ ତଥ୍ୟ ଦେଲେ ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଜଣାଇଛନ୍ତି। ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ହେଉଛି ରାଜେନ୍ଦ୍ର ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟକୁ ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍) ଅନୁଯାୟୀ ୟୁନିଭର୍ସିଟି ଗ୍ରାଣ୍ଟ କମିସନ (ୟୁଜିସି)ରେ ଆଜି ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ନିଶ୍ଚିତଭାବେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଙ୍କାକ୍ଷା ପୂରଣ କରିବ। ଏଥିସହ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୂଆ ଶିକ୍ଷାନୀତିରେ ଉଲ୍ଲେଖ ଥିବା ଗୁଣାତ୍ମକ ଶିକ୍ଷା ଉପଲବ୍ଧି କରିବ ବୋଲି ଆଶା କରୁଛି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ୟୁଜିସି ଅଧିନିୟମ ୧୯୫୬ ଧାରା ୧୨ (ବି)ରେ ଖୁବଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ। ଏହା ବିଶ୍ୱବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜିସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।