ଭୁବନେଶ୍ୱର, ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାରୁ ସୁରତକୁ ପ୍ରବାସୀ ଓଡ଼ିଆ ଟ୍ରେନ ଯୋଗେ ରାଜ୍ୟକୁ ଫେରୁଛନ୍ତି। ଗଲା ଦୁଇ ଦିନ ହେବ ଗଞ୍ଜାମକୁ ଏମାନଙ୍କ ସୁଅ ଛୁଟିଛି। ବୁଧବାର ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଷ୍ଟେସନରେ ୩ଟି ଟ୍ରେନ ପହଞ୍ଚିବାର କାର୍ଯ୍ୟସୂଚୀ ରହିଥିବା ବେଳେ ପ୍ରଥମ ଦୁଇଟି ଟ୍ରେନ ସନ୍ଧ୍ୟା ପୂର୍ବରୁ ପହଞ୍ଚିସାରିଛି। ଦିନର ପ୍ରଥମ ଟ୍ରେନ ସକାଳ ୧୦ଟାରେ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଛି। ଉକ୍ତ ଟ୍ରେନରେ ସମୁଦାୟ ୧୧୯୩ ଜଣ ଯାତ୍ରୀ ରହିଥିବା ବେଳେ କେବଳ ଗଞ୍ଜାମର ୧୧୬୭ ଜଣ ଯାତ୍ରୀ ଆସିଛନ୍ତି। ଏହାପରେ ଦିନ ୨ଟାରେ ଆଉ ଏକ ଟ୍ରେନ ପହଞ୍ଚିଥିଲା।
ଉକ୍ତ ଟ୍ରେନରେ ସେହିଭଳି ଗଞ୍ଜାମ ଜିଲ୍ଲାର ୧୧୪୫ ଜଣ ରହିଥିବା ବେଳେ ସମୁଦାୟ ୧୧୫୯ ଜଣ ଯାତ୍ରୀ ଫେରିଛନ୍ତି। ଗଞ୍ଜାମ ବାଦ ନୟାଗଡ଼, କଟକ, ବଲାଙ୍ଗିର, ବୌଦ୍ଧ, ବରଗଡ଼, ପୁରୀ ଓ କନ୍ଧମାଳର କିଛି ବ୍ୟକ୍ତି ମଧ୍ୟ ଟ୍ରେନ ଦୁଇଟିରେ ରାଜ୍ୟକୁ ଫେରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜଗନ୍ନାଥ ରେଳ ଷ୍ଟେସନଠାରେ ଗଞ୍ଜାମ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆଶୁ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା। ଏଠାରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବା ସହ ହାତରେ କାଳି ଦାଗ ଦିଆଯାଇଥିଲା। ଏହାପରେ ସେମାନଙ୍କୁ ବସ୍ ଯୋଗେ କ୍ୱାରେଣ୍ଟାଇନ ହୋମ୍କୁ ନେବାର ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆହୁରି ତିନୋଟି ଟ୍ରେନ ବୁଧବାର ସୁରତରୁ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଥିବା ବେଳେ ଅନ୍ୟ ଏକ ଟ୍ରେନ କେରଳରୁ ଆସୁଛି। ୩ଟି ଯାକ ଟ୍ରେନ ଗୁରୁବାର ଜଗନ୍ନାଥପୁର ଷ୍ଟେସନରେ ହିଁ ପହଞ୍ଚିବ।