ଆଜି ଠାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେଲା, ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଇଥିବା ବେଳେ କାଗଜପତ୍ରକୁ ନେଇ ଅଗାମୀ ୩ ମାସ କୋହଳ କରାଯାଇଛି। ଏ ନେଇ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଯାଞ୍ଚ ସମୟରେ ୧୦ଟି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କୁ ଜରିମାନା ଗଣିବାକୁ ପଡ଼ିବ। ଜରିମାନା ନଦେଲେ ଆରଟିଓ କାର୍ୟ୍ୟାଳୟ ଖାତାରେ ନାଁ ଚଢିବ ।

ଏହା ସହ ଜରିମାନା ଟଙ୍କାର ସୁଧମୂଳ କରି ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ହେବ ବୋଲି ପୁଲିସ କମିଶନର ଡ଼କ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। କେବଳ ଡ଼୍ରାଇଭିଂ ଲାଇସେନ୍ସ, ଫିଟନେସ୍‍ , ପଲ୍ୟୁସନ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ କ୍ଷେତ୍ରରେ ଟ୍ରାଫିକ ନିୟକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ମଦ୍ୟପାନ କରି ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ଫାଇନ, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫ ହଜାର, ଟ୍ରାଫିକର ବିପରୀତ ଦିଗରେ ଗାଡ଼ି ଚଲାଇଲେ ୫ ହଜାର, ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର କଲେ ୫ ହଜାର, ବିପଦପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ୫ ହଜାର, ଦୁଇ ଚକିଆରେ ୩ ଜଣ ଗଲେ ୫ ହଜାର, ଅତ୍ୟଧିକ ଭାର ପରିବହନ ପାଇଁ ୨ ହଜାର, ରେଡ଼ ଲାଇଟ ଅବମାନନା କଲେ ୫ ହଜାର, ହେଲମେଟ ନପିନ୍ଧିଲେ ୧ ହଜାର, ସିଟ୍‍ ବେଲ୍ଟ ନପିନ୍ଧିଲେ ୧ ହଜାର ଜରିମାନା ଭରିବାକୁ ପଡ଼ିବ। ଏହାସହ ରାଜଧାନୀ ଭୁବନେଶ୍ୱରର ରୁପାଲି ଛକରେ ଅତ୍ୟାଧୁନିକ ଅଟୋମେଟିକ ନମ୍ବର ପ୍ଲେଟ ରିଡ଼ର ମେସିନ ଲାଗିଛି। ଏହି ମେସିନରେ ଗାଡ଼ିର ନମ୍ବର ସ୍କାନ ହୋଇ ସିଧାସଳଖ ଡ଼ାକ ଯୋଗେ ଘଠକୁ ଚାଲାଣ ପଠାଯିବ।