ଆଜି କଟକରୁ ୫୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ,ଏନ୍ଏନ୍ଏସ୍: ଆଜି କଟକ ସହରରେ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧ରେ ପହଞ୍ଚିଛି। ଏଥିମଧ୍ୟରୁ ୨୯୬ ଜଣ ସୁସ୍ଥହୋଇଥିବାବେଳେ ୩୬୭ ସକ୍ରିୟ ଅଛନ୍ତି ଏବଂ ୮ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କଟକ ମହାନଗର ନିଗମ (ସିଏମସି) କମିସନର ଅନନ୍ୟା ଦାସ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଯୁଗ୍ମ ପରିବାର ଲୋକ ଅଧିକ ସଚେତନ ରୁହନ୍ତୁ। ବର୍ତ୍ତମାନ ଆକ୍ଟିଭ ସର୍ଭେଲାନ୍ସ ଅନୁସାରେ ସହରରେ ଟେଷ୍ଟିଂ ଚାଲିଛି। କରୋନା ପଜିଟିଭଙ୍କୁ ଚିହ୍ନଟ କରିବାରେ କଣ୍ଟେନମେଣ୍ଟ ଜୋନ ସହାୟକ ହୋଇପାରିଛି। ଏବେ କଟକରେ ୩ଟି କଣ୍ଟେନମେଣ୍ଟ ଜୋନ ଚାଲିଛି।

ପୁରୁଣା ରାଉସପାଟଣା, ଖଟବିନ ସାହି ଓ ଶଙ୍କରପୁରରେ କଣ୍ଟେନମେଣ୍ଟ ଜୋନ କରାଯାଇଛି।  କଣ୍ଟେନମେଣ୍ଟ ଜୋନରୁ ପଜିଟିଭ ବାହାର କରିବାରେ ସ୍ଥାନୀୟ ପୁଲିସ, ସାହିବାସୀ ଓ ପୂଜାକମିଟିର ସଦସ୍ୟମାନେ ସହଯୋଗ କରୁଛନ୍ତି। ଚଳିତ ସପ୍ତାହରେ ଆମେ ଟେଷ୍ଟିଂକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛୁ। ଆଣ୍ଟିଜେନ ଟେଷ୍ଟ ଆରମ୍ଭ କରିବୁ। ପ୍ଲାଜମା ଦାନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ସେ କହିଥିଲେ।