ଖୁବଶୀଘ୍ର ଶିକ୍ଷକ ନିଯୁକ୍ତି ଆବେଦନ ବୟସ ସୀମା ୪୨ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ସାମଗ୍ରୀକ ଯୋଜନାରେ ସାମିଲ ହେବ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ। ଫଳରେ ରାଜ୍ୟରେ ଥିବା ଜୁନିୟର କଲେଜଗୁଡିକର ବିକାଶ ଏବଂ ଭିତ୍ତିଭୂମୀର ଉନ୍ନତି ଲାଗି ଅର୍ଥର ଅଭାବ ରହିବ ନାହିଁ। ବର୍ତ୍ତମାନ ଏହି ଯୋଜନାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସାମିଲ କରାଯାଇଥିବା ବେଳେ ଯେଉଁ ଅନୁଦାନ ମିଳୁଛି ତାହା କେବଳ ସ୍କୁଲ ସ୍ତରରେ ବ୍ୟୟ ହେଉଛି। ଏହାବୀତୀତ ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଲାଗି ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ ହେଉଛି ତାହାର ବ୍ୟୟ ମଧ୍ୟ ଏହି ଯୋଜନା ଅଧୀନରେ ହେଉଛି। ଫଳରେ ସ୍କୁଲସ୍ତରରେ ବହୁ ଗରିବ ଏବଂ ଦୁବର୍ଳ ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି। ଏହି ଯୋଜନା ଯଦି +୨ ପାଇଁ ଲାଗୁ କରାଯାଏ ତେବେ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଘଟିବ।

ସେହିପରି ରାଜ୍ୟରେ ଉଚ୍ଚଶିକ୍ଷିତଙ୍କ ନିଯୁକ୍ତି କ୍ଷେତ୍ରରେ ସୁବିଧା ଯୋଗାଇଦେବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଉଚ୍ଚଶିକ୍ଷା ବା ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତି ଲାଗି ଆବେଦନକାରୀଙ୍କ ବୟସ ସୀମା ୪୦ ବର୍ଷରୁ ଅଧିକ ଥିବା ବେଳେ ଗଣଶିକ୍ଷା ବିଭାଗରେ ୩୨ବର୍ଷରେ ସୀମତ ରହିଛି। ଫଳରେ ନିଯୁକ୍ତିର ସୁବିଧା ପାଇପାରୁ ନଥିବା ଅନେକ ମେଧାବୀ ତଥା ଉଚ୍ଚଶିକ୍ଷିତ ନିଯୁକ୍ତିକୁ ଚାହିଁ ଚାହିଁ ବୟସ ସୀମା ଗଡ଼ି ଯାଉଛି। ତେଣୁ ଏପରି ସମସ୍ୟାର ସମାଧାନ ଲାଗି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ଲୁ ପ୍ରିଣ୍ଟସ୍ ଆରମ୍ଭ ହୋଇଛି। ମନ୍ତ୍ରୀଙ୍କ ଉଦ୍ୟମରୁ ଏଣିକି ଶିକ୍ଷକ ବୃତ୍ତିକୁ ଆପଣାଇବା ଲାଗି ଆଶା ରଖିଥିବା ଯୁବକଯୁବତୀ ସ୍କୁଲରେ ଶିକ୍ଷାଦାନର ସୁଯୋଗ ପାଇପାରିବେ। ତେବେ ଆଗକୁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଲାଗି ଆବେଦନକାରୀଙ୍କ ସର୍ବାଧିକ ବୟସସୀମାକୁ ୪୨ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ପ୍ରସ୍ତିତି ଆରମ୍ଭ ହୋଇଛି। ସେହିପରି ପୂର୍ବରୁ ରାଜ୍ୟରେ କେବଳ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା।

ରାଜ୍ୟରେ ସାମଗ୍ରିକ ଯୋଜନାରେ ଏହାକୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସାମିଲ କରାଯାଇଛି। ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥିଲେ ବି ସେମାନେ ଏହାକୁ ଅଣଦେଖା କରିଥାନ୍ତି। ଫଳରେ ସେମାନଙ୍କର ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ବିଶେଷକରି ବହୁ ଗରିବ ଛାତ୍ରଛାତ୍ରୀ ଏପରି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମଧ୍ୟବିତ୍ତ ପରିବାରର ପିଲାମାନେ ମଧ୍ୟ ଏପରି ଅବହେଳାର ଶିକାର ହୋଇଥାନ୍ତି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଜୁଲାଇ ଏବଂ ଡିସେମ୍ବରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତତ୍ୱାବଧାନରେ ପ୍ରତ୍ୟେକ ସ୍କୁଲରେ ୨ଜଣ ଡାକ୍ତର ସବୁ ପିଲାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ଏହାସହିତ ରକ୍ତ ପରୀକ୍ଷା ଏବଂ ଆବଶ୍ୟକ ସ୍ଥଳେ ଆଖି ପରୀକ୍ଷା ମଧ୍ୟ କରାଯିବ। ରାଜ୍ୟ ଗଣଶିକ୍ଷା ବିଭାଗ ଏବଂ କିଛି ସ୍ୱେଚ୍ଛାସେବୀ ସଂଗଠନର ମିଳିତ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ହେବା ପରେ ସବୁ ପିଲାଙ୍କର ରିପୋର୍ଟ ଜିଲ୍ଲା ୱାରୀ ସିଡିଏମ୍ଓଙ୍କୁ ପ୍ରଦାନ କରାଯିବ। ବିଶେଷକରି ଆଖି, ଛାତି କିମ୍ବା ହିମୋଗ୍ଲୋବିନ୍ ଅଭାବ ତଥା ଏନିମିଆ ଛାତ୍ରଛାତ୍ରୀଙ୍କ ଲାଗି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ସ୍କୁଲସ୍ତରରେ ଦୁର୍ବଳ ପିଲାଙ୍କ ଲାଗି ଆରମ୍ଭ ହୋଇଥିବା ଉଜ୍ଜ୍ୱଳ-ଉତ୍ଥାନ ଯୋଜନା ଭଳି ଅଭିନବ ବ୍ୟବସ୍ଥାକୁ ଏକାଦଶ ଏବଂ ଦ୍ୱାଦଶ ଲାଗି କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ଯୋଜନା ରହିଛି। ତେବେ ସ୍କୁଲସ୍ତରରେ ଏକକ ପାଠ୍ୟଖସଡ଼ା ବ୍ୟବସ୍ଥା ଥିବାରୁ ଉଜ୍ଜ୍ୱଳ-ଉତ୍ଥାନ ବ୍ୟବସ୍ଥାରେ କୌଣସି ସମସ୍ୟା ହୋଇନଥାଏ। ମାତ୍ର ଯୁକ୍ତ ଦୁଇରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଭଳି ଭିନ୍ନଭିନ୍ନ ପାଠ୍ୟକ୍ରମ ଲାଗି ଉଜ୍ଜ୍ୱଳ-ଉତ୍ଥାନରେ କିଭଳି ସାମିଲ କରାଯିବ ଏବଂ ପିଲାଙ୍କୁ କିଭଳି ଭାବେ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯିବ ସେଥିପାଇଁ ଆଲୋଚନା କରିବା ପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।