କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା  

ନୂଆଦିଲ୍ଲୀ,ଏଜେନ୍ସି: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟିରେ କିଣିବ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ। ଏହାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ମଂଜୁରୀ ଦେଇଛି। ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ଥିବା ଏହି କମ୍ପାନି ଗତ ୩୦ ମାର୍ଚ୍ଚ ୨୦୨୦ରୁ ବନ୍ଦ ରହିଛି। କମ୍ପାନିର ପ୍ରାୟ ୬୬୦୦ କୋଟିର ଋଣ ଓ ବକେୟା ରହିଛି। ୨୦୨୦ ଜାନୁଆରି ୮ରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହି କମ୍ପାନି କିଣିବା ଦୌଡ଼ରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ବାର ଓ ନଲଓ୍ବା ଷ୍ଟିଲ ଏଣ୍ଡ ପାଓ୍ବାର କନସୋର୍ଟିୟମ, ଜେଏସଡବ୍ଲୁ ଷ୍ଟିଲ  ମଧ୍ୟ ଥିଲେ। ତେବେ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ବିଡ୍ ଡାକିଥିବା ଟାଟା ଷ୍ଟିଲର ଏକ ଶାଖା ସଂସ୍ଥା ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ନିଲାମରେ ବିଜୟୀ ହୋଇଛି।

ବିଗତ କିଛି ବର୍ଷ ଧରି କ୍ଷତିରେ ଚାଲୁଥିବା ଏନଆଇଏନଏଲ ହେଉଛି ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟୋଗ। ଏଥିରେ ଏମଏମଟିସି, ଭେଲ୍‌, ଏନଏମଡିସି ଓ ମେକନ ଆଦି ସରକାରୀ ଉଦ୍ୟୋଗ ଏଥିରେ ପୁଞ୍ଜି ବିନିଯୋଗ କରିଥିଲେ। ଏଥିରେ ମଧ୍ୟ ଓଡ଼ିଶା ସରକାରଙ୍କ କମ୍ପାନି ଇପିକଲ ଓ ଓଏମସିର ମଧ୍ୟ ଅଂଶଧନ ରହିଥିଲା।