ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ ୨୦୨୧ ଜିତିଲେ ସୁସ୍ମିତା ଦାସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗାୟିକା ସୁସ୍ମିତା ଦାସ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ ୨୦୨୧ ଗ୍ରହଣ କରିଛନ୍ତି । ପ୍ରଥମ ଓଡ଼ିଆ ଗାୟିକା ଭାବେ ଏହି ଆୱାର୍ଡ ଜିତି ସୁସ୍ମିତା ଇତିହାସ ରଚିଛନ୍ତିି । ସଙ୍ଗୀତ କ୍ଷେତ୍ରରେ ଏହି ସମ୍ମାନଜନକ ପୁରସ୍କାର ଜିତି ସେ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଗତ ୭୦ ବର୍ଷରେ ସେ ଓଡ଼ିଶାର୧୩ତମ ମହିଳା ଭାବେ ଏହି ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି । ଏହି ଆୱାର୍ଡଟି ସଙ୍ଗୀତ କ୍ଷେତ୍ରରେ ଉଚ୍ଚସ୍ତରର ଉପଲବ୍ଧୀକୁ ପ୍ରଦର୍ଶନ କରିଥାଏ ।

ନିଜର ଏହି ଉପଲବ୍ଧୀ ପରେ ସୁସ୍ମିତା ଦାସ କହିଛନ୍ତି ଯେ, ମୁଁ ସଙ୍ଗୀତ ମାଧ୍ୟମରେ ଆମ ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଚାହୁଁଛି । ଏହା ଆଗାମୀ ପିଢ଼ିର ସଙ୍ଗୀତ କଳାକୁ ଆଶ୍ରୟ କରିବା ଲାଗି ପ୍ରେରଣା ଯୋଗାଇବ । ଏହା ଅନ୍ୟମାନଙ୍କୁ ବିଶେଷ ଭାବେ ଝିଅଙ୍କୁ ନିର୍ଭୀକ ଭାବେ କଳା କ୍ଷେତ୍ରରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ପ୍ରୋତ୍ସାହିତ କରିବ ବୋଲି ମୁଁ ଆଶା କରୁଛି ।
ସୂଚନାଯୋଗ୍ୟ, ଗତ ବର୍ଷ ଦେବ ମେହେରଙ୍କ ନିର୍ଦ୍ଦେଶନା ଓ ଅରୋମିରା ଇଣ୍ଟରଟେନମେଣ୍ଟ ପ୍ରଯୋଜାନାରେ ହିନ୍ଦୀ ମ୍ୟୁଜିକ ଭିଡିଓ ‘ପୃଥବୀ ମନ୍ଥନ’ରେ କଣ୍ଠଦାନ କରି ସୁସ୍ମିତା ଦାସ ବିଶ୍ୱସ୍ତରରେ ପରିଚୟ ଲାଭ କରିଛନ୍ତି । ଏହି ଭିଡିଓଟି ଭାରତର ୟୁଏନ ୱେବସାଇଟରେ ପ୍ରଦର୍ଶିତ ହୋଇଛି । ସୁସ୍ମିତାଙ୍କ ଅନେକ ମ୍ୟୁଜିକ ଭିଡିଓ ଯେମିତିକି ‘ମହ୍ଲାର, ନୂଆ ଠିକଣା କୁ ଓ ପୃଥବୀ ମନ୍ଥନ’କୁ ଅନେକ ଜାତୀୟ ଆନ୍ତର୍ଜାତୀୟ ପୁରସ୍କାର ମିଳିଛି । ଏଥିରେ କାନ୍ସ ସର୍ଟ ଫିଲ୍ମ ଫେଷ୍ଟିଭାଲ ଓ ଫିଲ୍ମ କାର୍ନିଭାଲ ସିଙ୍ଗାପୁର ସାମିଲ ରହିଛି ।