ସିବିଆଇର ଖୋଳତାଡ୍, କୋଲକାତା ଗଲେ ରୋଜଭ୍ୟାଲି ମାଲିକାଣି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରୋଜଭ୍ୟାଲି ମାଲିକାଣି ଶୁଭ୍ରା କୁଣ୍ଡୁଙ୍କୁ ସିବିଆଇ ସୋମବାର ଭୁବନେଶ୍ୱରରୁ କୋଲକାତା ନେଇଛି। ସେଠାରେ ସିବିଆଇ ତାଙ୍କୁ ରିମାଣ୍ଡ ଅବଧି ସମୟସୀମା ଭିତରେ ଜେରା କରିବ। ଶୁଭ୍ରାଙ୍କୁ କୋଲକାତାରୁ ଗିରଫ କରାଯାଇଥିବାରୁ ସେଠାରେ ମାମଲା ସମ୍ପର୍କିତ କାଗଜପତ୍ର ଓ ତଦନ୍ତକାରୀ ଅଫିସର ଅଛନ୍ତି। ତେଣୁ ଶୁଭ୍ରାଙ୍କୁ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିବା ଜଣାପଡ଼ିଛି। ସିବିଆଇ ତଦନ୍ତକାରୀ ଟିମ୍ ଶୁଭ୍ରାଙ୍କୁ ୫ଦିନ ଧରି ଜେରା କରିବା ସହ ଠକେଇ ସମ୍ପର୍କରେ ଅଧିକ ପଚରାଉଚରା କରିବେ ବୋଲି ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସୋମବାର ପୂର୍ବାହ୍ଣରେ ଶୁଭ୍ରାଙ୍କୁ ଭୁବନେଶ୍ୱରରୁ କୋଲକାତା ସିବିଆଇ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରିଥିଲେ। ଚିଟ୍ଫଣ୍ଡ ଠକେଇ ଘଟଣାରେ ଶୁଭ୍ରାଙ୍କ କେତେ ମାତ୍ରାରେ ସମ୍ପୃକ୍ତି ରହିଛି, ଠକେଇ ଟଙ୍କା କେଉଁଠି ବିନିଯୋଗ କରିଛନ୍ତି, ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି। ଏଭଳି ୩ରୁ ୪ଟି ଦିଗକୁ ନେଇ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଜେରା ସମୟରେ ସିବିଆଇ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ଜଣାପଡ଼ିଛି। ତେବେ ରିମାଣ୍ଡ ଅବଧି ଆହୁରି ୪ଦିନ ଥିବାରୁ ଠକେଇ ସମ୍ପର୍କରେ ଅନେକ ତଥ୍ୟ ହାତରେ ଲାଗିବ ବୋଲି ସିବିଆଇ ଆଶା ରଖିଛି।