ଏସଆଇଟିକୁ ଲଗାଇ ରାଜ୍ୟସରକାର ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି: ବିଜେପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀ ହତ୍ୟାକାଣ୍ଡର ତଦନ୍ତ ଏବେ ଦିଗହରା ହୋଇଛି। ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଦୋଷ ସ୍ୱୀକାର କରିବା ପାଇଁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହା ସହ ତାଙ୍କ ବୟସ ୧୮ ବର୍ଷ ହୋଇଥିବାବେଳେ ତାଙ୍କୁ ୧୭ ବର୍ଷ ଦେଖାଇ ବାଳ ଅପରାଧୀ ଦଫାରେ ଖସାଇବାର ଷଡଯନ୍ତ୍ର ରଚିଛନ୍ତି ଏସଆଇଟି ମୁଖ୍ୟ। ତଦନ୍ତ ଆଳରେ ଅରୁଣ ବୋଥ୍ରାଙ୍କ ଏପରି ଅମାନବୀୟ କାର୍ଯ୍ୟକଳାପ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପରୀ ଘଟଣାର ତଦନ୍ତକୁ ବାଟବଣା କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ଖୁଲାସା ହେବା ପରେ ଅରୁଣ ବୋଥ୍ରା ବିଶ୍ୱସନୀୟତା ହରାଇଛନ୍ତି। ଏଣୁ ରାଜ୍ୟସରକାର ତୁରନ୍ତ ଅରୁଣ ବୋଥ୍ରାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି।

ପରୀ ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ର‌୍ୟାକେଟ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ସେଥିପାଇଁ ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକକୁ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଯୋଗାଇ ଚାଲିଛନ୍ତି। ସମାନ ଢଙ୍ଗରେ ଏସଆଇଟିକୁ ଲଗାଇ ରାଜ୍ୟସରକାର ଅରୁଣ ସାହୁଙ୍କୁ ସୁରକ୍ଷା ଦେବା କାର୍ଯ୍ୟ କରୁଛନ୍ତି। କିଛିଦିନ ତଳେ ଏକ ଭାଇରାଲ ଅଡିଓରେ ଅରୁଣ ବୋଥ୍ରା ‘ମୋ ସରକାର’କୁ ଡରୁଛନ୍ତି ବୋଲି କହିଥିଲେ। ସେ ଡରକୁ ବ୍ୟବହାର କରି ରାଜ୍ୟସରକାର ଅରୁଣ ସାହୁଙ୍କ ବିରୋଧରେ ଥିବା ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ବୋଥ୍ରା ବାବୁଙ୍କୁ କାମରେ ଲଗାଇଛନ୍ତି ଏବଂ ସେ ପରିପ୍ରେକ୍ଷୀରେ ସରୋଜ ସେଠୀଙ୍କୁ ଟଙ୍କା ଯଚାଯାଇଛି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଏଥିସହିତ ସେ ପ୍ରଶ୍ନ କରିଛନ୍ତି କି, ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବାବେଳେ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରୁନାହାନ୍ତି କାହିଁକି। ଗୋଟିଏପଟେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କରି ଲୋକଙ୍କୁ ସୁବିଧା ଦେବା କଥା କହୁଛନ୍ତି ଅନ୍ୟପଟେ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ଏସଆଇଟିର ପ୍ରାଥମିକ ତଦନ୍ତ ରିପୋର୍ଟକୁ ଲିକ୍ କରାଯାଇଥିଲା ଏବଂ ମାନ୍ୟବର ହାଇକୋର୍ଟ ମଧ୍ୟ ଏସଆଇଟିର କାର୍ଯ୍ୟ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଏବଂ ସିବିଆଇ ତଦନ୍ତ କଲେ ହିଁ ପରୀକୁ ନ୍ୟାୟ ମିଳିପାରିବ ବୋଲି ଦାବି ହୋଇଛି। ପରୀ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟସରକାର ଦୋଷୀକୁ ଦଣ୍ଡ ଦେବେ କି ସୁରକ୍ଷା ଦେବେ ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ଡ.ସାମନ୍ତସିଂହାର ଦାବି କରିଛନ୍ତି।