ଭୁବନେଶ୍ୱର,ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କୁ ଗିରଫ କରିଛି। ଏଥିସହିତ ବାପାଙ୍କ ବେଆଇନ ସମ୍ପତ୍ତିରେ ଅୟସ କରୁଥିବା ପୁଅ ଆକାଶ ପାଠକଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଭିଜିଲାନ୍ସ ସେଲ ଏକ ମାମଲା (୬/୨୦) ରୁଜୁ କରି କୋର୍ଟ ଚାଲାଣ କରିଛି। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ପରେ ସେମାନେ ଜାମିନ ଆବେଦନ କରିଥିଲେ। ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ହେବା ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଶ୍ରୀ ପାଠକ ଅତିରିକ୍ତ ପିସିସିଏଫ୍ ଭାବେ କାର୍ଯ୍ୟ କରୁଥିଲେ।
ଭିଜିଲାନ୍ସ ସୂଚନା ଅନୁସାରେ, ଦୀର୍ଘ ତିନିଦିନ ଧରି ଆଇଏଫ୍ଏସ୍ ପାଠକଙ୍କ ଘରେ ଚାଲିଥିବା ଯାଞ୍ଚ ଶୁକ୍ରବାର ଶେଷ ହୋଇଛି। ଓଡ଼ିଶା, ବିହାର, ମହାରାଷ୍ଟ୍ର ଓ ରାଜସ୍ଥାନର ୧୩ଟି ଜାଗାରେ ଚଢ଼ଉ କରାଯାଇଥିଲା। ଚଢ଼ଉ ଯାଞ୍ଚ ବେଳେ ଭିଜିଲାନ୍ସ ଶ୍ରୀପାଠକଙ୍କ ଅମାପ ସମ୍ପତ୍ତି ଠାବ କରିଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରୁ ୯ କୋଟି ୩୫ ଲକ୍ଷ ୪୨ ହଜାର ୫୯୪ ଟଙ୍କା ଆୟ ବର୍ହିଭୁତ ବୋଲି ଜଣାପଡ଼ିଛି। ଏହା ତାଙ୍କ ମୋଟ ଆୟର ୪୩୫% ଅଧିକ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ବେଆଇନ ସମ୍ପତ୍ତି ମଧ୍ୟରୁ ପୁଅ ଆକାଶ ନାମରେ ଭୁବନେଶ୍ୱରର ଏକ ଘରୋଇ ବ୍ୟାଙ୍କରେ ୮କୋଟି ୪୦ଲକ୍ଷ ଟଙ୍କା ଜମା କରାଯାଇଛି। ଏଥିସହିତ ବ୍ରହ୍ମପୁରର ଏକ ବ୍ୟାଙ୍କରେ ମଧ୍ୟ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ଏହାର ତଦନ୍ତ ଜାରି ରହିଛି।