ରାଜ୍ୟରେ ଅବାଧ ନିଶା କାରବାରକୁ ରୋକିବାକୁ ସ୍ୱତନ୍ତ୍ର ନାର୍କୋଟିକ ୟୁନିଟ ଗଠନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଅବାଧ ନିଶା କାରବାର ରୋକିବାକୁ ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାଗୁଡ଼ିକ ବିରୋଧରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପୁଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ୍) ମଧ୍ୟରେ ଏକ ସ୍ୱତନ୍ତ୍ର ନାର୍କୋଟିକ୍ ୟୁନିଟ୍ ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ “ଓଡ଼ିଶା ପୁଲିସ ଡ୍ରଗ୍ସ କାରବାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସ୍ପେଶାଲ୍ ଟାସ୍କ ଫୋର୍ସ ଏଭଳି କାର୍ଯ୍ୟର ଅଗ୍ରଭାଗରେ ଅଛି ଓ ରାଜ୍ୟ ପୁଲିସ୍ ପାଇଁ ଡ୍ରଗ୍ସ କାରବାର ବିରୋଧରେ ଲଢେଇ ଜାରି ରଖିଛି। ଏସଟିଏଫକୁ ମଜଭୁତ କରିବା ପାଇଁ ଓଡିଶା ପୁଲିସର ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ୨୭ଟି ନୂତନ ପୋଷ୍ଟ ଏସଟିଏଫ ପାଇଁ ଅନୁମୋଦନ ମିଳିଛି। ଗୋଟିଏ ପୁଲିସ ଅଧୀକ୍ଷକ (ଏସପି) ଓ ୩ଟି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ପଦବୀ ସହିତ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପାଇଁ ସରକାର ୨୭ଟି ନୂତନ ପଦବୀକୁ ଅନୁମୋଦନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ କହିଛି, “ଡ୍ରଗ୍ସ କାରବାରର ମୁକାବିଲା ପାଇଁ ଏସପି ର୍ୟାଙ୍କର ଅଧିକାରୀଙ୍କ ନେତୃତ୍ୱରେ ଏସଟିଏଫରେ ଏକ ନୂତନ ୟୁନିଟ୍ ଗଠନ ପାଇଁ ସରକାର ଆମର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏସଟିଏଫରେ ଗୋଟିଏ ଏସପି, ଗୋଟିଏ ଏସଟିଏଫ (ନାର୍କୋଟିକ୍ସ ୟୁନିଟ୍) ଏବଂ ଅନ୍ୟଟି ଏସଟିଏଫ (ସଂଗଠିତ କ୍ରାଇମ୍ ୟୁନିଟ୍) ରହିବ।