ଚାଇଲ୍ଡ ଲାଇନର ପ୍ରୟାସରେ ୩ ବର୍ଷ ପରେ ଘରକୁ ଫେରିଲେ ଦିବ୍ୟାଙ୍ଗ ରୋହନ

ଝାରସୁଗୁଡା ଚାଇଲ୍ଡ ଲାଇନକୁ ଧନ୍ୟବାଦ ଦେଲେ ପରିବାରବର୍ଗ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଚାଇଲ୍ଡ ଲାଇନର ପ୍ରୟାସରେ ରାୟପୁରର ଏକ ଦିବ୍ୟାଙ୍ଗ(ମୁକ, ବଧିର) ନାବାଳକ ୩ବର୍ଷ ପରେ ନିଜର ଘରକୁ ଫେରିବାରେ ସକ୍ଷମ ହୋଇଛି। ନାବାଳକ ଜଣକ ଛତିଶଗଡ଼ ରାଜ୍ୟ ରାୟପୁର ଖମାତରାଇ ବାସିନ୍ଦା ରାଜାରାମ ସୋନାଙ୍କ ପୁଅ ରୋହନ ସୋନା(୧୭)। ସେ ୩ ବର୍ଷ ପୂର୍ବେ ନିଖୋଜ ହୋଇଯାଇ ଝାରସୁଗୁଡ଼ା ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିଲେ। ସେବେଠାରୁ ଚାଇଲ୍ଡ ଲାଇନ ତାଙ୍କ ପରିବାର ଠିକଣା ଖୋଜିବା ଆରମ୍ଭ କରିଥିଲା। ବହୁ ପ୍ରୟାସ ପରେ ଦୀର୍ଘ ୩ ବର୍ଷ ପରେ ତାଙ୍କ ଘର ଠିକଣା ପାଇ ପରିବାରକୁ ହସ୍ତାନ୍ତର କରିଥିଲେ। ପରିବାର ଲୋକେ ପୁଅକୁ ୩ ବର୍ଷ ପରେ ଫେରିପାଇ ଚାଇଲ୍ଡ ଲାଇନକୁ ଧନ୍ୟବାଦ ଜଣାଇଛନ୍ତି। ୩ ବର୍ଷ ପରେ ଆଜି ଦିବ୍ୟାଙ୍ଗ ଜଣଙ୍କ ଆଖି ସାମ୍ନାରେ ନିଜ ବାପା ଓ ମାମୁଙ୍କୁ ପାଇ ଖୁସିରେ କାନ୍ଦି ପକାଇବା ସହ ଠାରରେ ନିଜ ବାପାକୁ ଅନେକ କିଛି କହୁଥିବା ଦେଖିବାକୁ ମିଳିଥିଲା।

ବାପ ପୁଅର ମିଳନ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା। ସ୍ଥାନୀୟ ପୁଲିସ ସହ ବାପା ଓ ମାମୁଁ ଆଜି ଝାରସୁଗୁଡ଼ା ଯାଇ ଚାଇଲ୍ଡ ଲାଇନ ଓ ଶିଶୁ ମଙ୍ଗଳ କମିଟି ଉପସ୍ଥିତିରେ ରୋହନଙ୍କୁ ଘରକୁ ନେଇଛନ୍ତି। ରୋହନ କେମିତି ହଜି ଯାଇଥିଲେ ବୋଲି ପଚାରିବାରୁ ତାଙ୍କ ବାପା କହିଛନ୍ତି ସେ ପାର୍କକୁ ପ୍ରତିଦିନ ସକାଳୁ ବୁଲିବାକୁ ଯାଇଥିଲେ। ହେଲେ ଗତ ୨୦୧୭ ମସିହା ଜୁଲାଇ ୭ ତାରିଖରେ ପାର୍କକୁ ବୁଲିବାକୁ ଗଲାପରେ ଆଉ ଘରକୁ ଫେରି ନଥିଲେ। ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ନ ପାଇବାରୁ ସ୍ଥାନୀୟ ଥାନାରେ ରୋହନଙ୍କ ନିଖୋଜ ହେବାର ଅଭିଯୋଗ ମଧ୍ୟ କରିଥିଲେ।

ରୋହନଙ୍କୁ ଗତ ୨୦୧୭ ମସିହା ଜୁଲାଇ ୭ ତାରିଖରେ ଚାଇଲ୍ଡ ଲାଇନ ଝାରସୁଗୁଡ଼ା ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା। ହେଲେ ସେ ମୁକ ଏବଂ ବଧିର ହୋଇଥିବାରୁ ନିଜ ପରିଚୟ ତଥା ଘର ଠିକଣା କହି ପାରି ନଥିଲେ। ଫଳରେ ଚାଇଲ୍ଡ ଲାଇନ ତାଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ଉପସ୍ଥିତ କରିଥିଲା। ଶିଶୁ ମଙ୍ଗଳ କମିଟି ରୋହନଙ୍କୁ ଝାରସୁଗୁଡା ବୃନ୍ଦାମାଳ ସ୍ଥିତ ଉତ୍କଳ କଲ୍ୟାଣ ସେବା ସଙ୍ଘରେ ଅସ୍ଥାୟୀ ଆଶ୍ରୟ ଓ ଶିକ୍ଷା ପ୍ରଦାନ କରିବାର ବ୍ୟବସ୍ଥା କରିଥିଲା। ସେବେଠାରୁ ସେ ସେଠାରେ ରହି ଆସୁଥିଲେ। ନିଜ ପରିବାର ବର୍ଗଙ୍କୁ ମନେ ପକାଉଥିଲେ ହେଁ ସେ କାହାକୁ କିଛି କହି ପାରୁ ନଥିଲେ। ଏକ ଅଜଣା ସହରରେ ମା ବାପାଙ୍କ ଠାରୁ ୩ ବର୍ଷ କାଳ ଦୁରରେ ରହିବାକୁ ସେ ବାଧ୍ୟ ହୋଇଥିଲେ। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୧୮ରେ ତାଙ୍କ ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରୟାସ କରିଥିଲେ ହେଁ ଏହା ପ୍ରସ୍ତୁତ ହୋଇ ପାରି ନଥିଲା। ପରେ ଏ ନେଇ ଆଧାର କାର୍ଡ ପ୍ରସ୍ତୁତ କରୁଥିବା ଇୟୁଆଇଡିଆଇ ହାଇଦ୍ରାବଦ ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ।

ତେବେ ରୋହନଙ୍କ ଫିଙ୍ଗର ପ୍ରିଣ୍ଟ ଯୋଗେ ସେ ରାୟପୁରର ରାଜାରାମଙ୍କ ପୁଅ ଓ ତାଙ୍କ ଠିକଣା ଆଧାରକାର୍ଡ ମୁଖ୍ୟ କାର୍ଯ୍ୟଳୟରୁ ଜଣା ପଡିଥିଲା। ରୋହନଙ୍କ ଠିକଣା ମିଳିବା ପରେ ବୁଧବାର ଝାରସୁଗୁଡା ଚାଇଲ୍ଡ ଲାଇନ କୋଅର୍ଡିନେଟର ଆଶିଷ ପଣ୍ଡା ରାୟପୁର ଚାଇଲ୍ଡ ଲାଇନ କୋଅର୍ଡିନେଟର ସହ ସମ୍ପର୍କ କରି ରୋହନଙ୍କ ଠିକଣାରେ ଯୋଗାଯୋଗ କରିବା ପାଇଁ କହିଥିଲେ। ରାୟପୁର ଚାଇଲ୍ଡ ଲାଇନ ସଂସ୍ଥା ରୋହନଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରି ତାଙ୍କ ପୁଅ ଝାରସୁଗୁଡାରେ ଥିବା କହିଥିଲେ। ଏହା ଶୁଣି ତାଙ୍କ ପରିବାର ବର୍ଗ ଓ ସ୍ଥାନୀୟ ପୁଲିସ ଗୁରୁବାର ଝାରସୁଗୁଡ଼ା ଆସି ରୋହନଙ୍କୁ ଘରକୁ ନେଇଥିଲେ। ଏଥିସହ ଝାରସୁଗୁଡ଼ା ଚାଇଲ୍ଡ ଲାଇନ, ଶିଶୁ ମଙ୍ଗଳ କମିଟି ଓ ଉତ୍କଳ କଲ୍ୟାଣ ସେବା ସଙ୍ଘକୁ ରୋହନଙ୍କ ପରିବାର ଲୋକେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଚାଇଲ୍ଡ ଲାଇନ କୋ ଅର୍ଡିନେଟର ଆଶିଷ ପଣ୍ଡା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଆନନ୍ଦିନୀ ପାଢୀ, ମମତା ତ୍ରୀପାଠି, ଗୁଣ ନିଧି ଭଏଁଷା, ଅହଲ୍ୟା ନାଏକ, ଡିସିପିଓ ସନନ୍ଦ ମହାରଣା, ଚାଇଲ୍ଡ ଲାଇନ ସଦସ୍ୟ ରଜତ ବିହାରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।