୧୦ କୋଟିର ସାପ ବିଷ ଜବତ, ମହିଳାଙ୍କ ସମେତ ୬ ଗିରଫ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ରାଜଧାନୀର ଦୁଇଟି ସ୍ଥାନରେ ଚଢ଼ଉ କରି ବନ ବିଭାଗ ଦୁଇଟି ସାପ ବିଷ ବେପାରୀ ଗ୍ୟାଙ୍ଗକୁୁ ଧରିଛି। ଜଣେ ମହିଳାଙ୍କ ସମେତ ଦୁଇଟି ଗ୍ୟାଙ୍ଗ୍‌ର ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୧୦ କୋଟିରୁ ଅଧିକ ଟଙ୍କାର ସାପ ବିଷ ଜବତ କରାଯାଇଥିବା ବନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏଠାରୁ ସେମାନେ ବାହାର ରାଜ୍ୟକୁ ବିଷ ଚାଲାଣ କରିବାକୁ ଯୋଜନା କରୁଥିବା ପ୍ରାଥମିକ ତଦନ୍ତରୁ ବନ ବିଭାଗ ଜାଣିବାକୁ ପାଇଛି।

ଗିରଫ ୬ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର ହୃସ୍ନାକର ପଢ଼ିଆରୀ (୩୦), ଜୟସ୍ମିତା ନାୟକ (୫୦), ଜଳେଶ୍ୱର ଅଞ୍ଚଳର ସଞ୍ଜୟ ମହାନ୍ତି (୪୩ ), ବରଗଡ଼ ସୋହେଲା ଅଞ୍ଚଳର ବିଶ୍ୱ ପ୍ରଧାନ (୩୦), ବଲାଙ୍ଗିରର ସୁରଜ କୁମାର ଦାସ (୨୧), ଅନୁଗୁଳ ହୁଲୁରୁସିଙ୍ଗାର ଶ୍ୟାମଳେନ୍ଦୁ ନାୟକ(୩୦)। ସେମାନଙ୍କ ଠାରୁ ଦୁଇଟି ବୋତଲରେ ଦେଢ଼ ଲିଟରରୁ ଅଧିକ ବିଷ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ବନାଞ୍ଚଳ ଅଫିସରେ ରଖି ପଚରାଉଚରା କରାଯାଉଛି। ସିଟି ଡିଏଫ୍‌ଓ ଅଶୋକ ମିଶ୍ରଙ୍କ ସମେତ ଏକ ଟିମ୍ ସେମାନଙ୍କୁ ଜେରା କରୁଛି। ତେବେ ଅଭିଯୁକ୍ତମାନଙ୍କର କୋଭିଡ୍ ଟେଷ୍ଟ ହେବା ପରେ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ଅଭିଯୁକ୍ତମାନେ ସାପ ବିଷ ବିଭିନ୍ନ ଜିଲ୍ଲାରୁ ସଂଗ୍ରହ କରିବା ପରେ ବିକିବା ପାଇଁ ଚେଷ୍ଟା ଚଳାଇଥିଲେ। ବିଗତ କିଛି ଦିନ ଧରି ସେମାନେ ରାଜଧାନୀରେ ଦୁଇଟି ବୋତଲରେ ଦେଢ଼ ଲିଟରରୁ ଅଧିକ ସାପ ବିଷ ଧରି ବିକିବା ପାଇଁ ଯୋଜନା କରୁଥିଲେ। ଏନେଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସୂଚନା ପାଇବା ପରେ ସେ ବନଖଣ୍ଡ ଅଧିକାରୀ ଅଶୋକ ମିଶ୍ରଙ୍କୁ ଜଣାଇଥିଲେ। ଅଶୋକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ ଅଫିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ୪ଟି ଗାଡ଼ିରେ ପାଖାପାଖି ୨୦ ଜଣ କର୍ମଚାରୀ ଏସିଏଫ୍ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଜାଲ ବିଛାଇଥିଲେ। ଯୋଜନା ମୁତାବକ ସେମାନେ ଜଣେ ଫରେଷ୍ଟ ଅଫିସରଙ୍କୁ ସାପ ବିଷ କିଣିବା ପାଇଁ ଗରାଖ ସଜାଇଥିଲେ। ସେହି ଫରେଷ୍ଟର ଜଣଙ୍କ ପ୍ରଥମେ ଯାଇ ଅଭିଯୁକ୍ତମାନଙ୍କ ସହ କଥା ହେବା ପରେ ବିଷ କିଣିବା ପାଇଁ କହିଥିଲେ। ସେମାନଙ୍କ ସମ୍ପୂର୍ଣ୍ଣ ଗତିବିଧି ଲକ୍ଷ ରଖିବା ପରେ ପୁରା ଟିମ୍‌କୁ ଖବର ଦେଇଥିଲେ।

ଏକା ସାଙ୍ଗରେ ଦୁଇଟି ଟିମ୍ ୪ଟି ଗାଡିରେ ମାଷ୍ଟରକ୍ୟାଣ୍ଟିନ୍ ଏବଂ ଏୟାରପୋର୍ଟ ଛକରେ ଚଢ଼ଉ କରି ମୋଟ ୬ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଖସି ଯିବାରେ ସକ୍ଷମ ହୋଇଥିଲା। ଏୟାରପୋର୍ଟ ଛକରୁ ଦୁଇ ବୋତଲ ବିଷ ସହିତ ୩ ଜଣ ଏବଂ ମାଷ୍ଟରକ୍ୟାଣ୍ଟିନ ଛକରୁ ଜଣେ ମହିଳାଙ୍କ ସମେତ ଆଉ ଦୁଇ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଅଭିଯୁକ୍ତମାନେ କେଉଁଠୁ ବିଷ ଆଣିଥିଲେ, ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି, ଏହା କେଉଁ ସାପର ବିଷ, ଏହା ରାଜ୍ୟ ବାହାରକୁ ନା ଅନ୍ୟ କେଉଁଠିକି ଚାଲାଣ କରାଯାଇଥାନ୍ତା ତାହା ଉପରେ ବନ ବିଭାଗ ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରଖିଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କାରବାରରେ ଆହୁରି କିଛି ଲୋକଙ୍କ ସମ୍ପୃକ୍ତି ରହିଛି।

ପ୍ରାଥମିକ ପର୍ଯ୍ୟାୟରେ ସେମାନେ ବରଗଡ଼, ବାଲେଶ୍ୱର ଆଦି ଜିଲ୍ଲାରୁ ବିଷ ଆଣିଥିବା ସୂଚନା ମିଳିଛି। ଆବଶ୍ୟକ ପଡ଼ିଲେ ଆମେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବୁ ବୋଲି ସିଟି ଡିଏଫ୍‌ଓ ଅଶୋକ ମିଶ୍ର କହିଛନ୍ତି। ଜଣେ ମହିଳା ସାପ ବିଷ କାରବାରରେ ଗିରଫ ହେବା ବୋଧ ହୁଏ ଦେଶରେ ପ୍ରଥମ ଘଟଣା। ଓଡ଼ିଶାରେ କାହାରିକୁ ସାପ ବିଷ ବାହାର କରିବା ପାଇଁ ଲାଇସେନ୍ସ ଦିଆଯାଇନାହିଁ। ତେଣୁ ଓଡ଼ିଶାରେ ଯିଏ ବି ଏଭଳି ବିଷ କାରବାର କରିବ ସିଏ ନିଶ୍ଚୟ ଗିରଫ ହେବ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।