ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ

  • ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ। ସ୍ୱାଧୀନତା ଦିବସରୁ ରାଜ୍ୟର ସବୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ଏଥିରେ ଉପକୃତ ହେବେ ରାଜ୍ୟର ୯୨ ଲକ୍ଷ ୫୦ ହଜାର ପରିବାର। ରାଜ୍ୟର ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ୯୨ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ କାର୍ଡ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାର ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ। ପରବର୍ତ୍ତୀ ପର୍ଯ୍ୟାୟରେ ନଭେମ୍ବର ୨୦୨୧ ସୁଦ୍ଧା ସବୁ ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ।
    ୨୦୧୮ ଅଗଷ୍ଟ ୧୫ ତାରିଖରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ। ସାର୍ବଜନୀନ ସ୍ୱାସ୍ଥ୍ୟ ସେବାରେ ବାର୍ଷିକ ପରିବାର ପିଛା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାର ସହାୟତା ମିଳୁଛି। ଗ୍ରାମାଞ୍ଚଳରେ ବାର୍ଷିକ ଆୟ ୫୦ ହଜାର ତଳକୁ ଥିବା ସବୁ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡଧାରୀ, ବିପିଏଲ ପରିବାର, ଇନ୍ଦିରା ଆବାସ ହିତାଧିକାରୀଙ୍କୁ ଏହି ସୁବିଧା ମିଳୁଥିଲା। ସହରାଞ୍ଚଳରେ ବାର୍ଷିକ ଆୟ ୬୦ ହଜାର ତଳକୁ ଥିବା ହିତାଧିକାରୀଙ୍କୁ ଏହି ସୁବିଧା ଉପଲବ୍ଧ ହେଉଥିଲା। ଆସନ୍ତା ଅଗଷ୍ଟ ୧୫ରୁ ଏହି ଯୋଜନାର ସମ୍ପ୍ର୍ରସାରଣ କରାଯିବା ସହ ଅଧିକ ହସ୍ପିଟାଲକୁ ସାମିଲ କରାଯିବ। ହିତାଧିକାରୀଙ୍କ ଯୋଗ୍ୟତା ମାପକାଠିରେ ମଧ୍ୟ ପରିବର୍ତ୍ତନ କରାଯିବ। ରାଜ୍ୟ ବାହାରର ପ୍ରତିଷ୍ଠିତ ଘରୋଇ ହସ୍ପିଟାଲଗୁଡିକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ। ନୂଆ କାର୍ଡ ନମିଳିବା ପର୍ଯ୍ୟନ୍ତ ହିତାଧିକାରୀ ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡରୁ ଏହି ସୁବିଧା ପାଇପାରିବେ। ସେପ୍େଟମ୍ବର ପହିଲାରୁ ଏହି ସୁବିଧା ଉପଲବ୍ଧ ହେବ। ଏବେ ରାଜ୍ୟର ୧୮୩ଟି ହସ୍ପିଟାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳିପାରୁଛି। ରାଜ୍ୟ ବାହାରର ୧୭ଟି ହସ୍ପିଟାଲରେ ମଧ୍ୟ ରାଜ୍ୟ ଚିକିତ୍ସା ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟ ବାହାରେ ଥିବା ଜାତୀୟସ୍ତରର ପ୍ରତିଷ୍ଠିତ ହସ୍ପିଟାଲଗୁଡିକୁ ମଧ୍ୟ ସାମିଲ କରିବାକୁ ଯୋଜନା କରାଯାଉଛି।