ଭୁବନେଶ୍ୱର,ଏନ୍ଏନ୍ଏସ୍: ସହରାଞ୍ଚଳ ବସ୍ତି ବାସିନ୍ଦାମାନଙ୍କ ପାଇଁ ନିର୍ଭରଶୀଳ ଓ ବାସଯୋଗ୍ୟ ବସତିସ୍ଥାନ ବିକଶିତ କରିବା ନିମନ୍ତେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ଥିବା ବସ୍ତିମାନଙ୍କ ବିକାଶ ସମ୍ବନ୍ଧିତ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବସ୍ତି ବାସିନ୍ଦାମାନେ ଏକ ସହରର ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କ ପାଇଁ ଉତ୍ତମ ବାସଗୃହ ଏବଂ ମୌଳିକ ସେବା ଯୋଗାଣ ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଅଭିଯାନ ଆରମ୍ଭ କରିଛନ୍ତି। ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ୨ୟ ପର୍ଯ୍ୟାୟରେ ବସ୍ତିଗୁଡ଼ିକର ବିକାଶ କରି ସେ ସବୁକୁ ସହର ମୁଖ୍ୟ ଜୀବନଧାରା ସହ ସଂଯୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଚଳିତ ବର୍ଷ ଶେଷସୁଦ୍ଧା “ଉଷା’ ସର୍ଭେ ମାଧ୍ୟମରେ ଚିହ୍ନିତ ସମସ୍ତ ବସ୍ତିର ବିକାଶ ସାଧନ କରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କର୍ମଶାଳାରେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡଃ ମୋନା ଶର୍ମା କହିଥିଲେ ଯେ ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ରହିଥିବା ପୁରୁଣା ବସ୍ତିଗୁଡ଼ିକରେ ଜମି ଅଧିକାର ଏବଂ ଉନ୍ନୟନମୂଳକ କାର୍ଯ୍ୟନିମନ୍ତେ ଥିବା ଆଇନଗତ ଆବଶ୍ୟକତା ଆଦିକୁ ବିଚାର କରି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟାନ୍ୱୟନ ପଦ୍ଧତି (ଏସ୍ଓପି) ସ୍ଥିର କରାଯାଇଛି।
ନଗର ଓ ଗୃହ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥାନନ୍ କହିଥିଲେ ଯେ ଓଡ଼ିଶାର ଜାଗା ମିଶନ୍ ଅନ୍ତର୍ଜାତୀୟ ସ୍ୱୀକୃତି ଲାଭ କରିଛି । ଏଥିପାଇଁ ଓଡ଼ିଶାକୁ ବିଶ୍ୱ ବସତି ପୁରସ୍କାର-୨୦୧୮ ଏବଂ ଏସିଆ-ପ୍ରଶାନ୍ତ ଆବାସିକ ପୁରସ୍କାର-୨୦୨୧ ରେ ସମ୍ମାନିତ କରାଯାଇଛି। ଉଷା ସର୍ଭେ ମାଧ୍ୟମରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ପ୍ରାୟ ୩୦୦୦ ବସ୍ତି ଚିହ୍ନଟ କରାଯାଇଛି। ଏଥିରେ ପ୍ରାୟ ୧,୬୮,୧୪୧ ବାସଗୃହ ରହିଛି। ଏଥିମଧ୍ୟରୁ ୭୦,୦୦୦ ଗୃହଙ୍କୁ ଜମି ଅଧିକାର ଏବଂ ୧,୦୩,୩୨୮ ଗୃହଙ୍କୁ ଜମି ପ୍ରମାଣପତ୍ର ଦିଆଯାଇଛି। ଇତି ମଧ୍ୟରେ ୫୫୦ ବସ୍ତିର ବିକାଶ କରି ସେସବୁକୁ ସହରୀ ଜୀବନର ମୁଖ୍ୟସ୍ରୋତରେ ସାମିଲ କରାଯାଇଛି। ଅବଶିଷ୍ଟ ବସ୍ତିକୁ ଚଳିତବର୍ଷ ଶେଷ ସୁଦ୍ଧା ବିକଶିତ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।
ଆଲୋଚନାରୁ ଜଣାପଡ଼ିଥିଲା ଯେ ଉଷା ସର୍ଭେ ମାଧ୍ୟମରେ ଚିହ୍ନିତ ବସ୍ତିମାନଙ୍କ ମଧ୍ୟରୁ ୨୫୩ଟି ବସ୍ତି ୪୫ଟି ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ରହିଛି। ଏହି ବସ୍ତିମାନଙ୍କରେ ଜମି ଅଧିକାର ଏବଂ ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ ଏସ୍ଓପି ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥୋ କହିଥିଲେ ଯେ ଏସ୍ଓପିକୁ ପରୀକ୍ଷାମୂଳକ ଭାବେ ଢେଙ୍କାନାଳ ପୌର ପରିଷଦ ଅଞ୍ଚଳରେ ପ୍ରୟୋଗ କରାଯାଇଥିଲା। ଏହା ପୂର୍ଣ୍ଣମାତ୍ରାରେ ଫଳପ୍ରସୂ ହୋଇଛି। ଏହି ଅବସରରେ ଏସ୍ଓପିକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ମୁଖ୍ୟ ସଚିବ ଢେଙ୍କାନାଳର ଡିଏଫ୍ଓ ଡଃ ପ୍ରକାଶ ଚାନ୍ଦ ଗିଗିନେନୀ, ରେଞ୍ଜ ଅଫିସର ଭୁବନାନନ୍ଦ ମିଶ୍ର ଏବଂ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୌରାଞ୍ଚଳ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଦେଇଥିଲେ ଏବଂ ଅତିରିକ୍ତ ସଚିବ ସୁଶାନ୍ତ କୁମାର ମିଶ୍ର ସଂଯୋଜନା କରିଥିଲେ।