ଅନଲକ-୧ରେ ରାଜ୍ୟ ସରକାରଙ୍କ ନିୟମ, ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଠାରୁ ସାରା ଦେଶକରେ ଅନଲକ୍-୧ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେତେକ କଟକଣାକୁ ବଳବତ୍ତର ରଖାଯାଇଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୧ଟି ଜିଲ୍ଲାରେ ସର୍ବାଧିକ କରୋନା ଚିହ୍ନଟ ହୋଇଥିବାରୁ ସେଠାରେ ଶନିବାର ଓ ରବିବାର ୪୮ ଘଣ୍ଟା ପାଇଁ ସଟଡାଉନ କରାଯିବ। ଏହି ସଟଡାଉନ ନିୟମ ପୂର୍ବପରି ରହିଛି।

ଏହି ୧୧ ଜିଲ୍ଲା ମଧ୍ୟରେ ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିରରେ ସପ୍ତାହକୁ ୨ ଦିନ ସଟଡାଉନ ହେବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ଯାତାୟାତ କରିପାରିବେ।

ଅନ୍ୟପଟେ ରାଜ୍ୟରେ ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ। ସେହିପରି ୩୦ ଜୁନ୍ ଯାଏଁ ଧର୍ମୀୟ ସ୍ଥାନକୁ ସର୍ବସାଧାରଣ ପ୍ରବେଶକୁ ଅନୁମତି ଦିଆଯାଇନାହିଁ। ସପିଂକମ୍ପେ୍ଲକ୍ସ ମଧ୍ୟ ୩୦ ଜୁନ୍ ଯାଏଁ ବନ୍ଦ ରହିବ। ଏଥିସହିତ ୩୦ ପ୍ରତିଶତ କ୍ଷମତାକୁ ନେଇ ହୋଟେଲ ଖୋଲିପାରିବ। ସିନେମା ହଲ୍, ଜିମ୍, ସୁଇମିଂ ପୁଲ୍ ବନ୍ଦ ରହିବ। ସାମାଜିକ, ରାଜନୈତିକ, ଧର୍ମୀୟ ସମାବେଶ ହୋଇପାରିବ ନାହିଁ।

ଏଥିସହ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତା ମୂଳକ କରାଯାଇଛି। ଯଦି କେହି ବିନା ମାସ୍କରେ ପଦାକୁ ଆସେ ତେବେ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ସାଧରଣରେ ଛେପ ପକାଇବାରେ ମଧ୍ୟ କଟକଣା ଜାରି କରାଯାଇଛି। ଯଦି କୌଣସି ବ୍ୟକ୍ତି ବାହାରେ ଛେପ ପକାଏ ତେବେ ପ୍ରଥମ ଓ ଦ୍ୱିତୀୟ ଥର ଛେପ ପକାଉଥିବା ନଜର ଆସିଲେ ୫୦୦ ଟଙ୍କା ଫାଇନ୍ ଦେବେ। ସେହିପରି ତୃତୀୟ ଥର ଛେପ ପକାଉଥିବା ଦେଖାଗଲେ ୧ହଜାର ଟଙ୍କା ଫାଇନ ନିର୍ଦ୍ଧାରିତ ହୋଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।