ଶ୍ରୀମନ୍ଦିରର ଐତିହ୍ୟ ନିୟମ ସମ୍ବନ୍ଧୀୟ ବିଜ୍ଞପ୍ତି ଡ୍ରାଫ୍ଟ ପ୍ରତ୍ୟାହାର ପ୍ରସଙ୍ଗ : ଏନଏମଏଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ, ଏନ୍ଏନ୍ଏସ୍: ଏନଏମଏ (National Monuments Authority) ବାଇ ଲ’କୁ ନେଇ ଏବେ ବିବାଦ ଜୋର ଧରିଛି। ଜାତୀୟ ସ୍ମାରକୀ ପ୍ରାଧିକରଣ ବାଇ ଲ’ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଏହି ପ୍ରସଙ୍ଗରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଶ୍ରୀକ୍ଷେତ୍ର ମୂଳପୀଠ, ସେବକ, ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।

ପ୍ରକାଶ ଯେ, ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ପରିଧି ଅଞ୍ଚଳକୁ ଐତହ୍ୟ କରିଡରରେ ପରିଣତ କରିବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି । ତେବେ ଏତିକି ବେଳେ କେନ୍ଦ୍ରର ଏକ ବଡ଼ ନିଷ୍ପତ୍ତି ଏହି ଐତହ୍ୟ ବିକାଶକୁ ଏକ ବଡ଼ ଝଟକା ଦେଲା ଭଳି ହୋଇଛି । କାରଣ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନ ଜାତୀୟ କୀର୍ତ୍ତିରାଜୀ କର୍ତ୍ତୃପକ୍ଷ ଶ୍ରୀମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ବାଇ- ଲ ବା ଉପନିୟମ ଆଣିବାକୁ ଯାଉଛନ୍ତି। ଏହି ବାଇ-ଲରେ କୁହାଯାଇଛି ଯେ, ମନ୍ଦିର ଚାରିପଟେ ୩୦୦ ମିଟର ଅଞ୍ଚଳ ପାଇଁ କଟକଣା ଜାରି ହେବ । ପ୍ରଥମ ୧୦୦ ମିଟର ପୁରା ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହେବ । ଏହି ଅଞ୍ଚଳରେ କୌଣସି ସରକାରୀ କିମ୍ବା ଘରୋଇ ନିର୍ମାଣକୁ ଅନୁମତି ଦିଆଯିବ ନାହିଁ। ତେଣୁ ଏହି ବାଇ-ଲ କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିରର ଐତିହ୍ୟ ବିକାଶ ଧାରା ପ୍ରାଧାପ୍ରାପ୍ତ ହେବ ବୋଲି କୁହାଯାଉଛି ।

ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେଲାଣି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି , ଏହି ଗାଇଡ଼ ଲାଇନ ପୁରୀ ପାଇଁ ଲାଗୁ ହେବା ଠିକ୍ ନୁହେଁ। ପୁରୀ ଜଗନ୍ନାଥ ମନ୍ଦିରକୁ ସ୍ୱତନ୍ତ୍ର ବିଚାର କରିଯିବା ଆବଶ୍ୟକ। ଭାରତ ବର୍ଷର ଅଲଗା ମନ୍ଦିର ସହିତ ତୁଳନା କରବା ଠିକ ନୁହଁ। ସେହିପରି ବରିଷ୍ଠ ବିଜେଡି ନେତା ଶଶୀଭୂଷଣ ବେହେରା କହିଛନ୍ତି ଯେ, ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି। ମନ୍ଦିରସ୍ଥଳୀର ସୌନ୍ଦର୍ଯ୍ୟକରଣ ହେବାଦ୍ୱାରା ଭକ୍ତ ମାନଙ୍କ ଆକୃଷ୍ଟର କେନ୍ଦ୍ର ପାଲଟିଥିଲା। ଏହାକୁ ବିବାଦୀୟ ସ୍ଥିତିକୁ ନିଆଯାଇଛି। ଧାର୍ମିକ ଭାବନାର ଡିଣ୍ଡିମ ପିଟୁଥିବା ଦଳ କେତେ ଦୂର ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି ତାହା ଆଲୋଚନାର ବିଷୟ।