ନାରାୟଣପୁର,ଏନ୍ଏନ୍ଏସ୍: ସୁରକ୍ଷାକର୍ମୀ ନିଜ ସାଥିଙ୍କ ଉପରକୁ ଗୁଳି ଚଳାଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହ ଜଣେ ଗୁରୁତର ହୋଇଛନ୍ତି। ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ଜଣେ ସୁରକ୍ଷାକର୍ମୀ ନିଜ ତିନି ସାଥିଙ୍କ ଉପରକୁ ହଠାତ୍ ଗୁଳିଚାଳନା କରିଥିଲା। ବସ୍ତର ଅଞ୍ଚଳର ପୁଲିସ ମହାନିରୀକ୍ଷକ ସୁନ୍ଦରରାଜ ପିଙ୍କ କହିବା ଅନୁଯାୟୀ ନାରାୟଣପୁର ଜିଲ୍ଲାର ଛୋଟେଡୋଙ୍ଗର ଥାନା ଅଞ୍ଚଳ ଅନ୍ତର୍ଗତ ଆମଦଇ ଘାଟି ସ୍ଥିତ ଛତିଶଗଡ ସଶସ୍ତ୍ର ବଳର ୯ ବାଟାଲିୟନର ଶିବିରରେ ଶୁକ୍ରବାର ରାତିରେ ସହାୟକ ପ୍ଲାଟୁନ୍ କମାଣ୍ଡର ଘନଶ୍ୟାମ କୁମେଟି ନିଜ ସର୍ବିସ ରାୟଫଲରେ ଗୁଳି ଚଳାଇଥିଲେ।
ଏହି ଘଟଣାରେ ପ୍ଲାଟୁନ୍ କମାଣ୍ଡର ବିନ୍ଦେଶ୍ୱର ସାହାନୀ ଏବଂ ହାବିଲଦାର ରାମେଶ୍ୱର ସାହୁଙ୍କ ମୃତ୍ୟୁ ହୋଇଛି। ଏଥିସହିତ ପ୍ଲାଟୁନ୍ କମାଣ୍ଡର ଲଚ୍ଛରାମ ପ୍ରେମୀ ଗୁରୁତର ହୋଇଛନ୍ତି। ସୁନ୍ଦରରାଜଙ୍କ କହିବା ଅନୁଯାୟୀ ପୁଲିସକୁ ମିଳିଥିବା ସୂଚନାନୁଯାୟୀ, ପାରସ୍ପରିକ ବିବାଦ ପରେ କୁମେଟି ନିଜ ସାଥିମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏ ନେଇ କୁମେଟକୁ ଗିରଫ କରିବା ସହ ଗୁରୁତର ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।